heat wave in the city and hand showing thermometer for high temperature
ଭୁବନେଶ୍ୱର, ୨ା୬(ବ୍ୟୁରୋ)- ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ୧୦ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା। ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏହାଛଡ଼ା ଅନୁଗୋଳ ୪୨.୧, ସମ୍ବଲପୁର ୪୨, ହୀରାକୁଦ ୪୧.୬, ତାଳଚେର ୪୦.୫, ସୋନପୁର ୪୦.୨, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ତାତି କମିଥିବାବେଳେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ପରିସ୍ଥିତି ଲାଗି ରହିଛି। ତେବେ ଦ୍ୱୈତ ନଗରୀରେ ତାପମାତ୍ରାର ହ୍ରାସ ପାଇଛି। ଭୁବନେଶ୍ୱରରେ ସର୍ବାଧିକ ୩୫.୬ ଡିଗ୍ରୀ ଓ କଟକରେ ତାପମାତ୍ରା ୩୬ଡିଗ୍ରୀ ରହିଥିଲା। ଆସନ୍ତା ୨ରୁ ୩ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେରଳ ଛୁଇଁବାର ଏକ ସପ୍ତାହ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ୟାଇପାରେ। ତେବେ ଏଥର ରାଜ୍ୟରେ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରବିବାର ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ କେନ୍ଦୁଝର, ମୟୂରଭଞ୍ଜ ଓ ରାଜ୍ୟର ଅନ୍ୟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।