ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ିି ଦୁର୍ଘଟଣାଗ୍ରସ୍ତ

ବାରିପଦା ଅଫିସ,୧୯ା୧୦- ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଅଛନ୍ତି। ରାଜ୍ୟପାଳ ଉଦଳା ଧାନଘେରା ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଶୁକ୍ରବାର ବାରିପଦା ଫେରିବା ବେଳେ ତାଙ୍କର ଏସ୍କର୍ଟ ଗାଡ଼ିି ଦୁର୍ଘଟଣାଗ୍ରସ୍ତ ହୋଇଛି। ଖୁଣ୍ଟା ନିକଟସ୍ଥ ପୁରୁଣାପାଣି ଛକ ଠାରେ ଅପରାହ୍ନ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଥିବା ପ୍ରାୟ ୭ ଜଣ ସୁରକ୍ଷା କର୍ମଚାରୀ ଓ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ,ଏସ୍କର୍ଟ-୧ ଗାଡ଼ିି ସମ୍ମୁଖକୁ ହଠାତ୍‌ ଜଣେ ସାଇକଲ ଚାଳକ ଚାଲି ଆସିବାରୁ ଡ୍ରାଇଭର ବ୍ରେକ୍‌ ମାରିଥିଲେ। ଫଳରେ ପଛରେ ଥିବା ଏସ୍କର୍ଟ-୨ ଗାଡ଼ି ପଛପଟୁ ଏସ୍କର୍ଟ-୧ ଗାଡ଼ିିକୁ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଡୁକୁରା ଫାଣ୍ଡିରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟପାଳ ଶୁକ୍ରବାର ବାରିପଦାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ଶନିବାର ପୂର୍ବାହ୍ନ ୧୧ଟା ୩୦ରେ କରଞ୍ଜିଆ ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦୁଝର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।