ରଥଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା: ଏନ୍‌ଏଚ୍‌ରେ ୨୪ ଘଣ୍ଟିଆ ପାଟ୍ରୋଲିଂ, ଦୁର୍ଘଟଣା ଗାଡ଼ି ଉଠାଇବା ପାଇଁ ରହିବ କ୍ରେନ୍‌

କଟକ ଅଫିସ, ୨।୭-ଆସନ୍ତା ୪ ତାରିଖରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେବାକୁ ଯାଉଛି। କଟକରେ ରଥଯାତ୍ରା ପାଳନ ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହା କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ଏବଂ ପାର୍କିଂକୁ ଶୃଙ୍ଖଳିତ କରିବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାଣୀହାଟ ରଥଯାତ୍ରା ପାଇଁ ଓଏମ୍‌ପି ଛକରୁ ୩ ଚକିଆ କିମ୍ବା ୪ ଚକିଆ ଯାନବାହନଗୁଡ଼ିକ ସିଡିଏ ମାର୍କେଟ ଛକ ଦେଇ ରାଣୀହାଟ କିମ୍ବା ଏସ୍‌ସିବି ମେଡିକାଲ ଯାଇପାରିବେ ନାହିଁ। ସେମାନଙ୍କୁ ଯୋବ୍ରା ଛକ ଦେଇ ଆସିବାକୁ କୁହାଯାଇଛି। ରଥଯାତ୍ରା ସମୟରେ କଲେଜ ଛକଠାରୁ କୌଣସି ଯାନବାହନ ରାଣୀହାଟ ହିନ୍ଦ ସିନେମା ହଲ୍‌ ଛକ ଆଡକୁ ଯାଇପାରିବେ ନାହିଁ। ସେହିପରି ରଥ ଜଗନ୍ନାଥ ମନ୍ଦିର ଏବଂ ମାଉସୀ ମା’ ମନ୍ଦିରରେ ଥିବାବେଳେ କୌଣସି ଯାନବାହନ ରାଣୀହାଟ ହାଇସ୍କୁଲ ଛକ ଦେଇ କଲେଜ ଛକ ଯାଇପାରିବେ ନାହିଁ। ସେହିପରି ତେଜେଶ୍ୱର ରାୟ ଛକଠାରୁ କୌଣସି ଯାନବାହନ ମୋଚିସାହି ଛକ ଆଡକୁ ଯାଇପାରିବେ ନାହିଁ।

ଚାନ୍ଦିନଚୌକ ରଥଯାତ୍ରା ପାଇଁ ରଥ କାଫଲା ଛକ ନିକଟରେ ଥିବାବେଳେ ମାହାନ୍ତିପଡ଼ା ଛକଠାରୁ କୌଣସି ଯାନବାହନ ଚାନ୍ଦିନଚୌକ ଆଡକୁ ଆସିପାରିବ ନାହିଁ। ଗାଡ଼ିଗୁଡ଼ିକୁ ସତୀଚଉରା ଛକ ଦେଇ ଯିବାକୁ କୁହାଯାଇଛି। ସେହିପରି ହନୁମାନ ମନ୍ଦିର, ଗୁରୁ ମହାନ୍ତି ଛକଠାରୁ କୌଣସି ଯାନବାହନ ଚାନ୍ଦିନଚୌକ ଆଡକୁ ଯାଇପାରିବ ନାହିଁ। ତେବେ ପୁରୀ ରଥଯାତ୍ରା ଦେଖିବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ରଥଯାତ୍ରା ଦିନ ୨୪ ଘଣ୍ଟା ପାଇଁ ପୋଲିସ ମୁତୟନ ରହିବେ। ୨୪ ଘଣ୍ଟିଆ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଥିବା ବେଳେ କୌଣସି ଦୁର୍ଘଟଣା ଘଟିଲେ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ହାଇଡ୍ରା କ୍ରେନର ବ୍ୟବସ୍ଥା କରାଯାଇଛି। କୌଣସି ଅସୁବିଧା ହେଲେ ଭକ୍ତମାନଙ୍କୁ ପୋଲିସ ସହାୟତା ନମ୍ବର ୧୦୦ ଏବଂ ଟ୍ରାଫିକ ସହାୟତା ନମ୍ବର ୧୦୯୫ରେ ଯୋଗାଯୋଗ କରିବାକୁ କୁହାଯାଇଛି।