ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ର ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ ପକ୍ଷରୁ ବହୁମୁଖୀ ରକେଟ୍‌ ଲଞ୍ଚର ‘ପିନାକା’ର ବ୍ୟବହାରିକ ପରୀକ୍ଷା କରାଯାଇଛି। ଗୁରୁବାର ମଧ୍ୟାହ୍ନ ୧୨ଟା ୫ମିନିଟ୍‌ରେ ଏକ ଟ୍ରକ୍‌ରୁ ଏକାଥରେ ୧୨ଟି ରକେଟ୍‌ ବିଭିନ୍ନ ଦିଗରେ ଛଡ଼ାଯାଇଥିଲା। ୧ କିଲୋଗ୍ରାମ୍‌ ୨୫୦ ଗ୍ରାମ୍‌ ଓଜନର ବିସ୍ଫୋରକ ବହନ କରି ଏହି ରକେଟଗୁଡିକ ମାତ୍ର ୪୪ ସେକେଣ୍ଡରେ ୪୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିଥିଲା। ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ କରାଯାଇଥିବା ଏହି ବହୁମୁଖୀ ରକେଟ୍‌ ଲଞ୍ଚର ପରୀକ୍ଷଣ ସଫଳ ହୋଇଥିବା କୁହାଯାଇଛି। ପିନାକାର ପରୀକ୍ଷା ସମୟରେ ଡିଆର୍‌ଡିଓର ବୈଜ୍ଞାନିକ ଓ ଏହି ପ୍ରକଳ୍ପ ସହ ସମ୍ପୃକ୍ତ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଭାରତୀୟ ବାୟୁସେନାରେ ‘ପିନାକା’ ରକେଟ୍‌ ପୂର୍ବରୁ ସାମିଲ ହୋଇସାରିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏକାଧିକ ବାର ‘ପିନାକା’ର ପରୀକ୍ଷଣ ହୋଇସାରିଛି। ବିଭିନ୍ନ ପରୀକ୍ଷଣ କାଳରେ ଏହାର ଦୂରତା ବୃଦ୍ଧି କରାଯାଉଛି। କାର୍ଗିଲ ଯୁଦ୍ଧ ସମୟରେ ଏହାର ବ୍ୟବହାର କରାଯାଇଥିଲା।