ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ମଶାନରୁ ହାଡ଼ ପାଉଁଶ ଜବତ

କୁଆମରା,୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଆରପଟା ପଞ୍ଚାୟତ ଅନ୍ତର୍ଗତ ବଡବଧା ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଶ୍ମଶାନରୁ ହାଡ଼ପାଉଁଶ ଜବତ କରି ସୋମବାର ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା ଜାରି ରହିଛି। ପୋଲିସ ସୂଚନା ଅନୁଯାୟୀ, ବଡବଧା ଗ୍ରାମର ଜଣେ ବୃଦ୍ଧାଙ୍କର ଗତ ଗୁରୁବାର ସ୍ବାଭାବିକ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ସତ୍କାର ପାଇଁ ରାତିରେ ପଡିଶା ଲୋକେ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ସତ୍କାର ପଡିଶା ଲୋକେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ମାତ୍ର ବାପି ସିଂ(୩୫) ନାମକ ଜଣେ ଯୁବକ ସେହି ପୋଖରୀରେ ବୁଡ଼ି ଯାଇଥିଲେ। ସମସ୍ତେ ଗାଧୋଇ ସାରି ଘରକୁ ଫେରିଥିବା ବେଳେ ବାପି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ। ପର ଦିନ ସକାଳେ ପୋଖରୀ ମଧ୍ୟରୁ ବାପିଙ୍କ ମୃତଦେହ ମିଳିବା ପରେ ପୋଲିସକୁ ଖବର ନ ଦେଇ ତରବରିଆ ଭାବେ ମୃତଦେହ ପୋଡି ଦିଆଯାଇଥିଲା। ଏହି ମୃତ୍ୟୁ ଘଟଣାରେ ସନ୍ଦେହ ପ୍ରକାଶ କରି ବାପିଙ୍କ ବଡ ଭାଇ ରମେଶ ସିଂ କୁଆମରା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶରେ ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର, ଥାନା ଅଧିକାରୀ ନବକୃଷ୍ଣ ନାଏକ ଓ କୁଆମରା ଫାଣ୍ଡି ଅଧିକାରୀ ବଳରାମ ମହାରଣା ରବିବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ଶ୍ମଶାନରୁ ହାଡ ପାଉଁଶ ଜବତ କରିଛନ୍ତି। ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପଚରା ଉଚରା କରାଯାଉଛି। ଏଥିନେଇ ଥାନାରେ ଏକ ମାମଲା( ନଂ.୧୦୦/୧୯) ରୁଜୁ ହୋଇଛି।