Categories: ବାଣିଜ୍ୟ

ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି ଟଙ୍କା ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି ଯେ, ମେ’ରେ ୧,୦୦,୨୮୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ତେବେ ଏପ୍ରିଲରେ ଆଦାୟ ହୋଇଥିବା ୧,୧୩,୮୬୫ କୋଟି ଟଙ୍କା ଠାରୁ ଏହା ସାମାନ୍ୟ କମ୍‌। ସେହିପରି ମେ’ରେ ୭୨.୪୫ ଲକ୍ଷ ଜିଏସ୍‌ଟିଆର୍‌-୩ବି ଫର୍ମ ପୂରଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଏପ୍ରିଲରେ ଏହା ୭୨.୧୩ ଲକ୍ଷ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମେ’ରେ କେନ୍ଦ୍ରୀୟ ଜିଏସ୍‌ଟି(ସିଜିଏସ୍‌ଟି) ବାବଦରେ ୧୭,୮୧୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦରେ ୨୪,୪୬୨ କୋଟି ଟଙ୍କା, ଏକିକୃତ ଜିଏସ୍‌ଟି(ଆଇଜିଏସ୍‌ଟି) ବାବଦରେ ୪୯,୮୯୧ କୋଟି ଟଙ୍କା ଏବଂ ଉପକର ବାବଦରେ ୮୧୨୫ କୋଟି ଟଙ୍କା ଆଦାୟ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଫେବୃୟାରୀ-ମାର୍ଚ୍ଚରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ ୧୮,୯୩୪ କୋଟି ଟଙ୍କା ଦିଆଯାଇଛି।

Share