ମିଳିନାହିଁ ୨୦୧୬ ଖରିଫ ଫସଲକ୍ଷତିର କ୍ଷତିପୂରଣ: ବୀମା ପାଇଁ ଆସି ନିରାଶରେ ଫେରିଲେ ଚାଷୀ

ବରଗଡ଼ ଅଫିସ୍‌,୯।୭- ବରଗଡ଼ ଜିଲାରେ ୨୦୧୯ ଖରିଫ ଫସଲ ଚାଷକାର୍ଯ୍ୟ ଜୋର୍‌ ଧରିଛି । ହେଲେ ଏ ପର୍ଯ୍ୟନ୍ତ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ ୨୦୧୬ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ମିଳିପାରି ନାହିଁ। ତେବେ ଏ ନେଇ ଛୁରିଆପାଲି, କଲଙ୍ଗାପାଲି, ସୋହେଲା, ଟୁଙ୍ଗିବନ୍ଧଲି ଓ ପଣ୍ଡକିପାଲି ପଞ୍ଚାୟତର ଚାଷୀମାନେ ସେ ନେଇ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ଏହାପରେ ହାଇକୋର୍ଟଙ୍କ ପରାମର୍ଶକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଗତ ଜୁନ୍‌ ୩୧୦ତାରିଖରେ ଏକ ତ୍ରିପାକ୍ଷିକ ବୈଠକ ଡକାଯାଇଥିଲା। ତ୍ରିପାକ୍ଷିକ ବୈଠକର ଆଲୋଚନା ପରେ ମଙ୍ଗଳବାର ବୀମା କ୍ଷତିପୂରଣ ପ୍ରଦାନ ନେଇ ଜିଲା ପ୍ରଶାସନର ଚୂଡ଼ାନ୍ତ ନିଷ୍ପତ୍ତି ରହିଥିଲା। ଫଳରେ ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ହୋଇଥିବ ଏବଂ ବୀମା କ୍ଷତିପୂରଣ ମିଳିବ ଏହି ଆଶା ନେଇ ଉପରୋକ୍ତ ପଞ୍ଚାୟତର ଚାଷୀମାନେ ଜିଲାପାଳ ଅଫିସକୁ ଆସିଥିଲେ । ମାତ୍ର ଏୱାଇ ଏବଂ ଟିୱାଇ ଭିତ୍ତିରେ ବୀମା କମ୍ପାନୀ ସମ୍ପୃକ୍ତ ପଞ୍ଚାୟତକୁ ବୀମା କ୍ଷତିପୂରଣ ପ୍ରଦାନରୁ ବାଦ୍‌ ଦେଇଛି ଏବଂ ଆଉ ବୀମା କ୍ଷତିପୂରଣ ମିଳିବ ନାହିଁ ବୋଲି ଶୁଣିବା ପରେ ଚାଷୀମାନେ ନିରାଶରେ ଘରକୁ ଫେରି ଯାଇଛନ୍ତି । ତେବେ ଏ ନେଇ ପୁଣି ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି ଚାଷୀମାନେ କହିଛନ୍ତି ।