ମାନବ ସମାଜ ପାଇଁ ବଡ଼ ଆହ୍ବାନ

ଡ. ସନ୍ତୋଷ କୁମାର ମହାପାତ୍ର

ସମ୍ପ୍ରତି ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଯେଉଁ ମାନବ ଜାତି ନିଜକୁ ସବୁଠାରୁ ଅଧିକ ବୁଦ୍ଧିମାନ, କ୍ଷମତାଶାଳୀ ବିବେଚନା କରୁଥିଲା, ତାହା ଆଜି ନିଜକୁ ସମ୍ପୂର୍ଣ୍ଣ ଅସହାୟ ମଣୁଛି। ଦିନକୁଦିନ ଭୂତାଣୁ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି।
ଏହି ଭୂତାଣୁ ସଂକ୍ରମଣ କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିନି ବରଂ ସମଗ୍ର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ଭାରତ ସମେତ ବିଶ୍ୱର ବିଭିନ୍ନ ଷ୍ଟକ୍‌ ମାର୍କେଟରେ ନିବେଶକମାନେ ତାଙ୍କ ପୁଞ୍ଜି ପ୍ରତ୍ୟାହାର କରି ଷ୍ଟକ୍‌ ମାର୍କେଟର ସୂଚକାଙ୍କ ହ୍ରାସ କରାଇଛନ୍ତି। ଯଦି ଏହି କରୋନାର କାୟାବିସ୍ତାରକୁ ରୋକା ନ ଯାଏ ତେବେ ସମଗ୍ର ବିଶ୍ୱ ଅର୍ଥନୀତି ଧରାଶାୟୀ ହେବ ଏବଂ ମାନବ ସଭ୍ୟତାର ଅସ୍ତିତ୍ୱ ପାଇଁ ବିପଦ ସୃଷ୍ଟି କରିବ। ବିଶେଷକରି ଜନସାଧାରଣ ଯିବାଆସିବା, ଗମନାଗମନ, ଏକାଠି ହେବା, ବିଭିନ୍ନ ସମ୍ମିଳନୀ, ସଭା ତଥା ଦେଶ ଦେଶ ମଧ୍ୟରେ ଯିବା ଆସିବା ଉପରେ ଅଙ୍କୁଶ ରହିବା ଯୋଗୁ ଏହା ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପ, ନିଯୁକ୍ତିକୁ ସଂକୁଚିତ କରିବ ଏବଂ ଅନେକ ଲୋକଙ୍କୁ ଦାରିଦ୍ର୍ୟର ଗହ୍ବରକୁ ଠେଲିଦେବ। ଅନେକେ ତାଙ୍କ ଜୀବିକାର ଉତ୍ସ ହରାଇବେ।
କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ପାଣ୍ଡେମିକ ବା ସାର୍ବଦେଶିକ ମହାମାରୀ ଭାବେ ଘୋଷଣା କରିଛି। କରୋନା ସଂକ୍ରମଣର କୁପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେବାର ତଥ୍ୟ ଲୋକଲୋଚନକୁ ଆସୁଛି। ଭାରତରେ ସେନ୍‌ସେକ୍ସ ଗୋଟିଏ ସପ୍ତାହରେ ୫,୭୦୦ ଅଙ୍କ ହ୍ରାସ ପାଇଛି। କେବଳ ଗୋଟିଏ ଦିନରେ ୨,୯୧୨ ଅଙ୍କ ହ୍ରାସ ପାଇଛି, ଯାହା ଗତ ୨୦ ବର୍ଷରେ ସର୍ବାଧିକ। ଅବଶ୍ୟ ଏହି ହ୍ରାସ ପଛରେ ରହିଛି ବିଦେଶୀ ଆନୁଷ୍ଠାନିକ ପୁଞ୍ଜି ନିବେଶକଙ୍କ ଅହେତୁକ ଲୋଭ। ଏମାନେ ଶେୟାର ମୂଲ୍ୟ ଅଧିକ ଥିଲାବେଳେ ପ୍ରତ୍ୟାହାର କରି କମ୍‌ ଥିଲାବେଳେ ନିବେଶ କରି ଲାଭ କରିଥାନ୍ତି। ତାଙ୍କର କ୍ଷତି ହୋଇ ନ ଥାଏ। ଅନ୍ୟ ନିବେଶକଙ୍କର କ୍ଷତି ହୋଇଥାଏ। ଯଦିଓ ବିଭିନ୍ନ ସମୟରେ ଷ୍ଟକ୍‌ମାର୍କେଟର ପତନ ପାଇଁ ନାନା କାରଣ ଦର୍ଶାଯାଇଥାଏ, ବାସ୍ତବରେ ସେପରି କିଛି ନିର୍ଦ୍ଦିଷ୍ଟ କାରଣ ନ ଥାଏ। କେବଳ ଲୋଭ ହିଁ ମୁଖ୍ୟ କାରଣ। କିନ୍ତୁ ବିଶ୍ୱରେ ଏପରି ବିପଦ ସମୟରେ ନିବେଶକମାନଙ୍କ ଏପରି କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ। ଯଦି କରୋନା ବିପଦ ଯୋଗୁ ସେମାନେ ମାର୍ଚ୍ଚ ୧୨ ତାରିଖରେ ପୁଞ୍ଜି ପ୍ରତ୍ୟାହାର କଲେ ତା’ ପରଦିନ ଏହି ବିପଦ ଟିକେ ବି ହ୍ରାସ ନ ପାଇଥିଲେ ମଧ୍ୟ କିପରି ପୁନଶ୍ଚ ନିବେଶ କଲେ।
ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି ଭାରତ ସମେତ ବିଶ୍ୱର ବୃହତ୍‌ ଅର୍ଥନୀତି ବିପର୍ଯ୍ୟସ୍ତ ହେବ, ଯାହାର କୁପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ। ପୃଥିବୀରେ ଭାରତ ସମେତ ୧୦ଟି ବୃହତ୍‌ ଅର୍ଥନୀତିରେ ଅଭିବୃଦ୍ଧିହାର ନିମ୍ନଗାମୀ ହୋଇଛି। କରୋନା ସଂକ୍ରମଣର କୁପ୍ରଭାବ ପରିସ୍ଥିତିକୁ ଆହୁରି ସଙ୍ଗିନ କରିବ। ଚତୁର୍ଥ ତ୍ରିମାସୀରେ (ଜାନୁୟାରୀ-ମାର୍ଚ୍ଚ ୨୦୨୦) ଚାଇନା ଜିଡିପିର ୬୦ ବିଲିୟନ ଡଲାର ହ୍ରାସ ପାଇବ ବୋଲି ଆଶଙ୍କା ଦେଖାଦେଇଛି। ଚାଇନାର ଅଭିବୃଦ୍ଧି ୨୦୨୦ରେ ୬ରୁ ୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ବ୍ଲୁମ୍‌ବର୍ଗର ଅର୍ଥନୀତିଜ୍ଞମାନେ ଏକ ମଡେଲ ପ୍ରସ୍ତୁତ କରି କହିଛନ୍ତି ଯେ, ଆମେରିକାରେ ମାନ୍ଦାବସ୍ଥା ଆଗାମୀ ବର୍ଷରେ ଦେଖାଦେବାର ସମ୍ଭାବନା ୫୩% ରହିଛି। ୨୦୦୯ ପରେ ଏହା ସର୍ବାଧିକ। ୨୦୦୮-୦୯ରେ ଆମେରିକାରୁ ଗ୍ରେଟ୍‌ ରିସେସନ ଆରମ୍ଭ ହୋଇଥିଲା। ସେହିପରି ୟୁରୋପୀୟ ଦେଶ ଉପରେ ଏହାର କୁପ୍ରଭାବ ଅନୁଭୂତ ହେବ। ଅଭିବୃଦ୍ଧି ଆହୁରି ନିମ୍ନଗାମୀ ହେବ। ଚାଇନାକୁ ଛାଡି ଅନ୍ୟ ଏସୀୟ ଦେଶର ଅଭିବୃଦ୍ଧି ଧାର୍ଯ୍ୟଲକ୍ଷ୍ୟଠାରୁ ୦.୨ରୁ ୦.୫% ହ୍ରାସ ପାଇବ। ବିଶେଷକରି ଚାଇନା ବ୍ୟତୀତ ଦକ୍ଷିଣକୋରିଆ, ଇଟାଲୀ, ଜାପାନ, ଫ୍ରାନ୍ସ ଓ ଜର୍ମାନୀ ଅର୍ଥନୀତି ପ୍ରଭାବିତ ହେବ। କାରଣ ଏହି ଦେଶରେ କରୋନା ଭୂତାଣୁ ସଂକ୍ରମଣ ଅଧିକ ବ୍ୟାପକ।
ଯଦି ଚାଇନା ଅର୍ଥନୀତି ବା କରୋନା ସଂକ୍ରମଣରେ ସୁଧାର ନ ଆସେ ଏହା ବିଶ୍ୱ ଅର୍ଥନୀତି ଓ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ। କାରଣ ଚାଇନା ବିଭିନ୍ନ ଦ୍ରବ୍ୟ ଓ ସେବାର ଚାହିଦା ଓ ଯୋଗାଣର ମୁଖ୍ୟ ଉତ୍ସ। ବିଶ୍ୱ ବାଣିଜ୍ୟ ସଂଗଠନ ଅନୁଯାୟୀ ଚାଇନା ବିଶ୍ୱର ସର୍ବାଧିକ ରପ୍ତାନିକାରୀ ଦେଶ ଏବଂ ଦ୍ରବ୍ୟର ଆମଦାନି ଦୃଷ୍ଟିରୁ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର। ୨୦୧୯ରେ ଚାଇନା ଆମଦାନିର ପରିମାଣ ୨.୧ ଟ୍ରିଲିୟନ ଡଲାର ଥିଲା। ଚାଇନା ମଧ୍ୟ ମାନ୍ୟୁଫାକ୍ଚରିଙ୍ଗ ଦ୍ରବ୍ୟର ଶ୍ରେଷ୍ଠ ଉତ୍ପାଦନକାରୀ ରାଷ୍ଟ୍ର। ଯଦି ଚାଇନାର ଫାକ୍ଟ୍ରି ସବୁ ବନ୍ଦ ହୁଏ, ରପ୍ତାନି, ଆମଦାନି ହ୍ରାସ ପାଏ ତେବେ ତାହାର କୁପ୍ରଭାବ ଭୟଙ୍କର ହେବ। ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୨୦୨୦ରେ କିଛି ସଂସ୍ଥା ୨.୯% ହେବ ବୋଲି ଆକଳନ କରିଥିଲା ବେଳେ ଆଉ କିଛି ସଂସ୍ଥା ୩.୧% ଆକଳନ କରିଥିଲେ। କିନ୍ତୁ ଏହି ଅଭିବୃଦ୍ଧି ହାର ଅତି କମ୍‌ରେ ୦.୧ରୁ ୦.୪% ହ୍ରାସ ପାଇବ। ଏପରିକି ଜିଡିପି ୨.୭ ଟ୍ରିଲିୟନ ଡଲାର ହ୍ରାସ ପାଇବ। ଭାରତ ସହିତ ଚାଇନାର ବାଣିଜ୍ୟ କାରବାର ୨୦୧୮-୧୯ରେ ୮୭.୦୭ ବିଲିୟନ ଡଲାର ଥିଲାବେଳେ ଆମେରିକାର ୮୭.୯୫ ବିଲିୟନ ଡଲାର ଥିଲା। ଏହା ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ସେହିସବୁ ଦେଶରେ କରୋନା ସଂକ୍ରମଣର ପ୍ରଭାବ ଅଧିକ ଯୋଗୁ ବାଣିଜ୍ୟ କାରବାର ପ୍ରଭାବିତ ହେବ ଏବଂ ଭାରତର ଅଭିବୃଦ୍ଧି ଆହୁରି ନିମ୍ନଗାମୀ ହେବ। ଅକ୍ଟୋବର-ଡିସେମ୍ବର ତ୍ରିମାସୀରେ ଅଭିବୃଦ୍ଧି ମାତ୍ର ୪.୭% ହୋଇଛି। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବ।
କରୋନା ସଂକ୍ରମଣ ଯୋଗୁ ବିଶ୍ୱ ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସହିତ ଏହାଦ୍ୱାରା ମଧ୍ୟ ମାନବ ଜାତିକୁ ଏକ ବଡ଼ ଶିକ୍ଷା ମିଳିଛି। ଏହା ମଣିଷର ଅହଙ୍କାରକୁ ଧୂଳିସାତ୍‌ କରିଦେଇଛି। ମଣିଷ ଜାଣିଛି, ଯିଏ ଯେତେ କ୍ଷମତାଶାଳୀ ବା ବିତ୍ତଶାଳୀ ହେଉ, ତାକୁ ମୃତ୍ୟୁ ଦିନେନା ଦିନେ ଛୁଇଁବ। ଏଣୁ ଜୀବନର ସଦୁପଯୋଗ କରି ମାନବ ସଭ୍ୟତାର ବିକାଶ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ। କରୋନା ଭୟ ଆଜି ସେହି ଗର୍ବୀ, ଅହଙ୍କାରୀ ମଣିଷର ଅହଙ୍କାରକୁ ଚୂରମାର କରିଦେଇଛି। ଆଜି କିନ୍ତୁ ଅନେକ କ୍ଷମତାଶାଳୀ କରୋନା ଭୟରେ ପଦାକୁ ବାହାରିବାକୁ ସାହସ କରୁନାହାନ୍ତି। ଆମେରିକା ରାଷ୍ଟ୍ରପତି ବିଶ୍ୱର ସର୍ବାଧିକ କ୍ଷମତାଶାଳୀ। ଡୋନାଲ୍ଡ ଟ୍ରମ୍ପ ଏକଦା କହିଥିଲେ ଯେ, ଯଦି ଆମେରିକାବାସୀ ତାଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ନ କରନ୍ତି, ତେବେ ସେ ଷ୍ଟକ୍‌ମାର୍କେଟର ପତନ ଘଟାଇବେ। କିନ୍ତୁ କରୋନା ପ୍ରଭାବରେ ଷ୍ଟକ୍‌ମାର୍କେଟର ଯେତେବେଳେ ପତନ ଘଟୁଛି, ସେ କିଛି କରିପାରୁନାହାନ୍ତି। ସେହିପରି ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଷ୍ଟ୍ରମୁଖ୍ୟ ସର୍ବଦା ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ କରମର୍ଦ୍ଦନ କରିଥାନ୍ତି। କିନ୍ତୁ ଆଜି ତାହା କରିପାରୁନାହାନ୍ତି ଏବଂ ପୁଣି ନମସ୍ତେ ପ୍ରକ୍ରିୟାକୁ ଆଦରି ନେଇଛନ୍ତି। ଅନେକ କ୍ଷମତାଶାଳୀ ଆଜି କରୋନା ଭୟରେ ଗୃହବନ୍ଦୀ ଜୀବନ ବିତାଉଛନ୍ତି।
କରୋନା ଆଜି ସମଗ୍ର ବିଶ୍ୱବାସୀଙ୍କୁ ଆଗାମୀ ଦିନରେ କି ପ୍ରକାର ବିପଦ ଆସିବ ତାହା ପାଇଁ ପ୍ରସ୍ତୁତ ରହିବା ଲାଗି ସତର୍କ କରିଦେଇଛି। ଆଗାମୀ ଦିନରେ ଏପରି ଭୟଙ୍କର ଜଳବାୟୁର ପରିବର୍ତ୍ତନ ଘଟିବାକୁ ଯାଉଛି ଯେ, ତାହାକୁ ରୋକିବା ପାଇଁ ଯଦି ଏବେଠାରୁ ପଦକ୍ଷେପ ନିଆ ନ ଯାଏ ତେବେ ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟିକରିବ ଯେ ମାନବ ସଭ୍ୟତା ତିଷ୍ଠିରହିବା କଷ୍ଟକର ହେବ। ଏଣୁ ଆଜି ସମୟ ଆସିଛି ମଣିଷ ଯେଉଁ ମହାମୂଲ୍ୟ ଜୀବନ ପାଇଛି, ତାହାର ସଦୁପଯୋଗ କରୁ। ହିଂସା, ଦ୍ୱେଷ, ଗର୍ବ, ଅହଙ୍କାର, ଲୋଭ, ଅତ୍ୟଧିକ ଉପଭୋଗ, ସମ୍ବେଦନହୀନତାକୁ ପରିହାର କରି ସ୍ନେହ, ଶ୍ରଦ୍ଧା, ଦୟା, ସହାନୁଭୂତି, ମାନବିକତା, ତ୍ୟାଗ, ବଳିଦାନ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଉ। ବୈଜ୍ଞାନିକମାନେ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ ନ କରି ଯାହା କେବଳ ମାନବ ଜାତିର କଲ୍ୟାଣ କରିବ ତାହା ଉତ୍ପାଦନ କରନ୍ତୁ। ବିଭିନ୍ନ ରାଷ୍ଟ୍ର ତାଙ୍କ ପ୍ରତିରକ୍ଷା ବାବଦ ବ୍ୟୟ ହ୍ରାସ କରି କ୍ଷୁଧା, ଦାରିଦ୍ର୍ୟ, ବେକାରି ହ୍ରାସ ଏବଂ ସ୍ବାସ୍ଥ୍ୟସେବା ପାଇଁ ଅଧିକ ବ୍ୟୟ କରନ୍ତୁ। ରାଷ୍ଟ୍ର କେବଳ ଜିଡିପି ବା ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ନ ଦେଇ ସମ୍ପଦର ବଣ୍ଟନକୁ ଗୁରୁତ୍ୱ ଦେବା ଆବଶ୍ୟକ। ସମସ୍ତେ ଗୋଟିଏ କଥା ଜାଣିବା ଉଚିତ ଯେ, ଯଦି ମାନବ ସଭ୍ୟତା ତିଷ୍ଠି ନ ରହେ ତେବେ ଆମେ ନ୍ୟାୟ, ଅନ୍ୟାୟ, ସତ୍‌ ବା ଅସତ୍‌ ଉପାୟରେ ଯେଉଁ ଅର୍ଥ, ସମ୍ପଦ, କ୍ଷମତା, ଯଶ, ପ୍ରତିପତ୍ତି ଅର୍ଜନ କରିବାକୁ ରାତିଦିନ ପ୍ରୟାସ କରୁଛୁ ତାହାକୁ ଦେଖିବାକୁ ବା ଆଲୋଚନା କରିବାକୁ କେହି ନ ଥିବେ।
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri