ମାଙ୍ଗାନିଜ ଚୋରି ଓ ସୁରକ୍ଷାକର୍ମୀଙ୍କ ମୋବାଇଲ ଲୁଟ୍‌ ଘଟଣା: ଧରାପଡିଲେ ୪ ଅଭିଯୁକ୍ତ

ବଡବିଲ,୨୨ା୪(ସ୍ବ.ପ୍ର.):- କେନ୍ଦୁଝର ଜିଲା ଯୋଡା ଖଣି ସର୍କଲର ବଲାଣୀ ଥାନା ଅର୍ଜୁନଲୋଧା ମାଇନ୍ସରୁ ମାଙ୍ଗାନିଜ ଚୋରି ଓ ମୋବାଇଲ ଲୁଟ୍‌ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ  ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡବିଲ ଥାନା ଅଞ୍ଚଳର ଏମଡି ଫିରୋଜ, ଯୋଡା ଥାନା ସହିଦନଗର ଅଞ୍ଚଳର ଭୁଣ୍ଡୁ ଓରଫ୍‌ ପ୍ରଶାନ୍ତ ରାଜ, କୁନ୍ଦୁରନାଲା ଅଞ୍ଚଳର ପାଣୁ ଓରଫ ରୋଶନ କର୍ମକାର ଏବଂ ବଲାଣୀ ଅଞ୍ଚଳର ରାମ ମହାକୁଡ଼।

୨୦୧୮ ନଭେମ୍ବର ମାସ ୧୨ ତାରିଖରେ ବଲାଣୀ-କିରିବୁରୁ ରାସ୍ତା କଡ଼ରେ ଥିବା ଅର୍ଜୁନ ଲୋଧା ଖଣିରୁ ମାଙ୍ଗାନିଜ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଠାରୁ ଦୁଇଟି ମୋବାଇଲ ଲୁଟି ନେବାସହ ଏକ କୋଠରିରେ ସୁରକ୍ଷାକର୍ମୀଙ୍କୁ ପୂରାଇ ବାହାରପଟୁ ବନ୍ଦ କରି ପଳାଇ ଯାଇଥିଲେ। ଏ ନେଇ ବଲାଣୀ ଥାନାରେ ଏକ ମାମଲା (ନଂ ୫୫/୨୦୧୮) ଓ ଭାରତୀୟ ପିଙ୍ଗଳକୋଡ୍‌ ଧାରା ୩୯୫,୫୦୬ ଏବଂ ୨୧ ଏମଏମଡିଆର ଆକ୍ଟରେ ରୁଜୁ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲାବେଳେ ଦୀର୍ଘ ୫ ମାସ ପରେ ଶନିବାର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଲାଣୀ ଥାନା ସବ-ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତିି। ତେବେ ଏହି ଘଟଣାରେ ଆହୁରି ଅନେକ ଫେରାର ରହିଥିବା ଜଣାପଡିଛି।