ମହିଳାଙ୍କ ମୁଣ୍ଡ କାଟି ହତ୍ୟା

ଠାକୁରମୁଣ୍ଡା, ୮ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ପଟୁଳିଡ଼ିହି ବନ୍ଧସାହିରେ ଶୁକ୍ରବାର ରାତିରେ ଘରେ ଏକୁଟିଆ ଥିବା ଜଣେ ବିଧବା ମହିଳାଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଘରଠାରୁ ୧୦୦ ମିଟର ଦୂରରୁ ମହିଳାଙ୍କ ଗଣ୍ଡି ମିଳିଥିବା ବେଳେ ନିକଟରେ ଥିବା ନଦୀପଠାରୁ କଟାମୁଣ୍ଡ ମିଳିଛି। ମୃତ ମହିଳା ଜଣକ ସେହି ଗ୍ରାମର ଜିରାମଣି ସୟ ବୋଲି ଜଣାପଡିଛି। କରଞ୍ଜିଆ ଥାନା ପୋଲିସ ଏକ ମାମଲା(ନଂ.୧୧୮/୧୯) ରୁଜୁକରି ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ଜିରାମଣିଙ୍କ ଦୁଇ ପୁଅ ଥିବାବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ସେହି ଗ୍ରାମର ରସାନନ୍ଦ ସୟଙ୍କ ଘରେ ସେ ରହୁଥିଲେ। ତେବେ ୩ ମାସ ତଳେ ରସାନନ୍ଦଙ୍କ ମୃତ୍ୟୁ ଘଟିବାରୁ ବନ୍ଧସାହି ନଦୀକୂଳରେ ଥିବା ଘରେ ସେ ଏକୁଟିଆ ରହୁଥିଲେ। ଶନିବାର ସକାଳେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ଗ୍ରାମର କେତେକ ଲୋକ ନଦୀପଠାରେ ଜିରାମଣିଙ୍କ କଟା ମୁଣ୍ଡ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କରଞ୍ଜିଆ ଥାନା ପୋଲିସ ପହଞ୍ଚି ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ଜାରି ରଖିଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।