ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ସବୁକିଛି। କିଏ କେଉଁଠି ରହିଲେ, କୁଆଡ଼େ ଗଲେ କିଛି ଜଣାପଡ଼ିଲା ନାହିଁ। ଚାରିଆଡ଼େ ପ୍ରଳୟର ଦୃଶ୍ୟ, ପ୍ରଚଣ୍ଡ ବେଗର ପବନ ଓ ପାଣି। ମୁହୂର୍ତ୍ତକ ପରେ ନିଜକୁ କିଏ କେଉଁଠି କିପରି ଅବସ୍ଥାରେ ଆବିଷ୍କାର କଲେ ତାହା ଜଣା ନ ଥିଲା। ଆତ୍ମୀୟ ସ୍ବଜନ, ପରିବାର ଲୋକେ ସବୁ ଆଖି ଆଗରେ ଭାସିଗଲେ। ଘରଦ୍ୱାର କେଉଁ ଜାଗାରେ ରହିଥିଲା ତାହା ଠଉରାଇବା ସମ୍ଭବ ନ ଥିଲା। ଆଜକୁ ଠିକ୍‌ ୨୦ବର୍ଷ ତଳେ, ୧୯୯୯ ଅକ୍ଟୋବର ୨୯ ତାରିଖରେ ପ୍ରକୃତି ତା’ର ଏଭଳି ଏକ କରାଳ ରୂପ ଦେଖାଇଥିଲା, ଯାହା ମହାବାତ୍ୟା ରୂପେ ଆଜି ମଧ୍ୟ ଅଲିଭା ସ୍ମୃତି ହୋଇ ରହିଛି।

ଏରସମା,୨୯।୧୦(ସ୍ବ.ପ୍ର.): ୧୯୯୯ ମହାବାତ୍ୟା ବିଶେଷକରି ଉପକୂଳ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ରଚିଥିଲା ତାଣ୍ଡବଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୩୫୦ କିମି ବେଗର ପବନ, ସମୁଦ୍ର ଜୁଆର ଓ ବର୍ଷାର ଏକ ମିଳିତ ସଂହାରଲୀଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ। କେବଳ ଏରସମା ବ୍ଲକରେ ହିଁ ଲିଭିଗଲା ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଦୀପ। ଘରଦ୍ୱାର ଛାଡ଼, ଗଁା ଗଣ୍ଡା ମଧ୍ୟ ନିଶ୍ଚିହ୍ନ ହୋଇଗଲା। ଜୀବନ ବଞ୍ଚାଇବାର ବିକଳ ସଂଗ୍ରାମ ଭିତରେ ମା’ ଭୁଲିଯାଇଥିଲା ପିଲାଙ୍କୁ, ସ୍ବାମୀ ଭୁଲିଯାଇଥିଲା ସ୍ତ୍ରୀକୁ। ପାଣି ଛାଡ଼ିବାବେଳକୁ ଚାରିଆଡେ ପଡ଼ିଥିଲା ଖାଲି ପଶୁ, ପକ୍ଷୀ ଓ ମଣିଷଙ୍କ ମୃତଦେହ। ସୁନ୍ଧର ସବୁଜିମା ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ବିଶାଳ ବୃକ୍ଷରାଜି ସବୁ ମାଟିରେ ଲୋଟିପଡ଼ିଥିଲା। ଇତିମଧ୍ୟରେ ବିତିଯାଇଛି ୨୦ ବର୍ଷ। ସେହି ବିନାଶ ଭିତରୁ ହୋଇଛି ବିକାଶର ସୂତ୍ରପାତ। ତଥାପି ଆଜି ମଧ୍ୟ ମହାବାତ୍ୟାର ସେହି ଧ୍ୱଂସଲୀଳା ଏରସମାବାସୀଙ୍କ ହୃଦୟରେ ଅଲିଭା ଦାଗ ହୋଇ ରହିଯାଇଛି।

ସେଦିନର ନବଜାତ ମଧୁସ୍ମିତା ଏବେ ବିଏସ୍‌ସି ଛାତ୍ରୀ
ମହାବାତ୍ୟାର କରାଳ ରୂପ ଗ୍ରାସ କରିଥିଲା ଏରସମା ଭୂଇଁକୁ। ଲୁଣା ଜୁଆର ଓ ଝଡ଼ର ତାଣ୍ଡବ କବଳରୁ ରକ୍ଷା ପାଇବାକୁ ଚାଲିଥିଲା ପ୍ରାଣମୁର୍ଚ୍ଛା ସଂଗ୍ରାମ। ସେହି ଚରମ ଦୁର୍ଦ୍ଦିନରେ ଜନ୍ମ ହୋଇଥିଲେ ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ଶ୍ରୀରାମପୁର ଗ୍ରାମର ଅତୂଲ୍ୟ ବିଶ୍ୱାଳ ଓ ପୁଷ୍ପଲତା ବିଶ୍ୱାଳଙ୍କ ଝିଅ ମଧୁସ୍ମିତା। ନିଜ କଚ୍ଚାଘର ଖଣ୍ଡିକ ଭାସିଯିବା ପରେ ନବଜାତ ଶିଶୁ କନ୍ୟା (ମଧୁସ୍ମିତା)ଙ୍କୁ ହାତରେ ଟେକି ଧରି ବେକେ ପାଣିରେ ଯାଇ ଏକ ଗଛ ଉପରେ ସେମାନେ ବସିରହିଥିଲେ ୨ ଦିନ। ଭୋକ ଉପାସରେ କଟିଥିଲା ଦିନରାତି। ଏବେ ମଧୁସ୍ମିତାଙ୍କୁ ୨୦ ବର୍ଷ। ସେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିଏସ୍‌ସି ପଢୁଛନ୍ତି। ବାପା ଶ୍ରମିକ ଭାବେ କାମ କରି ପରିବାର ଚଳାଉଛନ୍ତି। ନିଜର ଦୃଢ଼ ଇଛାଶକ୍ତି ବଳରେ ଉଚ୍ଚଶିକ୍ଷା ଲାଭ ପାଇଁ ଆଶା ରଖିଛନ୍ତି ମଧୁସ୍ମିତା। ସରକାରୀ ପ୍ରୋତ୍ସାହନ ମିଳିଲେ ଝିଅ ଆହୁରି ଉପରକୁ ଯାଇପାରନ୍ତା ବୋଲି କହିଛନ୍ତି ତାଙ୍କ ମା’ ପୁଷ୍ପଲତା।

ଦହିବର ଗ୍ରାମରେ ଘଟିଥିଲା ୫୮୭ ଜଣଙ୍କ ମୃତ୍ୟୁ
ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକ ଜପା ପଞ୍ଚାୟତର ଦହିବର ଗ୍ରାମ। ଏରସମା ବ୍ଲକ ମୁଖ୍ୟାଳୟର ପୂର୍ବଦିଗରେ ପ୍ରସସ୍ଥ ହଂସୁଆ ସଫେଇ ଜଟାଧାର ମୁହାଣରେ ମିଶିଛି। ସଫେଇ କୂଳରେ ଥିବା ଏହି ଗ୍ରାମ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। ମହାବାତ୍ୟାରେ କେବଳ ଏହି ଗ୍ରାମରୁ ୫୮୭ଜଣଙ୍କ ମୃତ୍ୟୁ ହୋଇଥିଲା। ଏପରି କି ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନ ଦୀପ ଲିଭିଯାଇଥିଲା। ଅନେକଙ୍କ ମୃତଦେହ ମିଳି ନ ଥିଲା। ଯେଉଁମାନଙ୍କ ମୃତଦେହ ମିଳିଥିଲା, ଗୋଟିଏ ସ୍ଥାନରେ ସେମାନଙ୍କ ଅନ୍ତିମ ସତ୍କାର ଓ ଶୁଦ୍ଧିକ୍ରିୟା ହୋଇଥିଲା। ସେମାନଙ୍କ ଉଦ୍ଦେଶ୍ୟରେ ସେଠାରେ ଏକ ସ୍ମୃତିସ୍ତମ୍ଭ ରହିଛି। ପ୍ରତିବର୍ଷ ଏଠାରେ ସମୂହ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି।

୫ ସଦସ୍ୟଙ୍କୁ ହରାଇ ୩ ଦିନ ରହିଥିଲେ ନଡ଼ିଆ ଗଛରେ
ଏରସମା ବ୍ଲକ ପଲିକଣ୍ଟା ପଞ୍ଚାୟତ ମନ୍ଦିରା ଗ୍ରାମର ପ୍ରମିଳା ପରିଡ଼ା। ୭ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର ଥିଲା। ବାପା ନାରାୟଣ ପରିଡ଼ାଙ୍କର ୪ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ସେ ଥିଲେ ବଡ଼ ଝିଅ। ବାତ୍ୟା ଏଭଳି କରାଳ ରୂପ ଧାରଣ କରିବ ବୋଲି ସେମାନେ କଳନା କରି ନ ଥିଲେ। ପାଟ ହୁଡ଼ାରେ ଏକ ଖୋଲା ଜାଗାରେ ତାଙ୍କର ବଖରାଏ ଇନ୍ଦିରା ଆବାସ ଓ ୨ ବଖରା କଚାଘର ଥିଲା। ଘର ପାଖରେ ଆଉ କାହାର ଘର ନ ଥିଲା। ସେଦିନ କାଳ ରାତିରେ ପ୍ରଥମେ ପବନ ଦଲକେଇ ଆସିଲା। ଚାହୁଁ ଚାହଁୁ ହଠାତ ପବନର ବେଗ ଏତେ ବଢ଼ିଗଲା ଯେ ସେମାନେ ବାହାରକୁ ବାହାରି ପାରିଲେ ନାହିଁ। ଘରର ଚାଳ ଉଡ଼ିଗଲା। ତେଣୁ କୋଠା ଘର ବଖରାକରେ ସମସ୍ତେ ଆଶ୍ରୟ ନେଇଥିଲେ। ହଠାତ ୧୧ ବର୍ଷର ଝିଅ ସଞ୍ଜିତା ଓ ୧୫ ବର୍ଷର ଝିଅ ବନିତା ଉପରେ ଛାତ ପଡ଼ିଗଲା। ସମୁଦ୍ର ଜୁଆର ୩ ପୁରୁଷ ଉଚ୍ଚରେ ମାଡ଼ି ଆସିବାରୁ ନଡ଼ିଆ ଗଛ ଉଚ୍ଚରେ ସମସ୍ତ ପାଣିରେ ଭାସିଗଲେ। ମା’ରେଣୁବାଳାଙ୍କ ହାତରୁ ଖସିଗଲା ୫ ବର୍ଷର ପୁଅ ଉତ୍ତମ। ଏହା ଦେଖି ବାପା ନାରାୟଣ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଗଲେ। ଅସହ୍ୟ ଥଣ୍ଡାରେ ମଧ୍ୟ ମା’ଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁ ସହ ସଂଗ୍ରାମ କରି ୧୮ ବର୍ଷର ପ୍ରମିଳା ଓ ୧୩ ବର୍ଷର ରଞ୍ଜିତା ଗଛରେ ଆଶ୍ରୟ ନେଇଥିଲେ। କୌଣସି ପ୍ରକାରେ ପତ୍ର ଆହାର କରି ଜୀବନ ତ ସେମାନେ ବଞ୍ଚାଇ ଦେଇଥିଲେ, ମାତ୍ର ସବୁଦିନ ପାଇଁ ଅନାଥ ହୋଇଗଲେ।

୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା
ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗାଁରେ ଜୋଛନା ପ୍ରଧାନଙ୍କ ଘର। ସ୍ବାମୀଙ୍କ ନାମ ତ୍ରୈଲୋକ୍ୟା। ତ୍ରୈଲୋକ୍ୟାଙ୍କର ୫ ଭାଇଥିଲେ। ୩୨ ସଦସ୍ୟଙ୍କୁ ନେଇ ତାଙ୍କର ଯୌଥ ପରିବାର। ଚିଙ୍ଗୁଡ଼ି ଚାଷ ଓ ସମୁଦ୍ରରୁ ମାଛ ମାରି ସେମାନେ ଜୀବିକା ନିର୍ବାହ କରୁଥିଲେ। ଘରଠାରୁ ସମୁଦ୍ର ମାତ୍ର ୫୦ ମିଟର ଦୂର। ଗାଁରେ କୌଣସି କୋଠାଘର କି ବାତ୍ୟା ଆଶୟସ୍ଥଳୀ ନ ଥିଲା। ପବନର ବେଗ ବଢିବା ସାଙ୍ଗକୁ ଜୁଆର ମାଡ଼ି ଆସିବାରୁ ଘର ସହ ସମସ୍ତେ ଭାସିଯାଇଥିଲେ। ସୌଭାଗ୍ୟ କ୍ରମେ ଜୋଛନା ଏକ ବଡ଼ ଚାକୁଣ୍ଡା ଗଛରେ ଲାଗିଯାଇଥିଲେ। ୩ ଦିନ ଏମିତି ଉକ୍ତ ଗଛରେ ରହି ଭାସି ଆସୁଥିବା କୁଟା ପତର ଚୋବାଇ ଜୀବନ ବଞ୍ଚାଇଥିଲେ। ଗଛ ପାଖରେ ଆସି ଲାଗୁଥିବା ମୃତଦେହରୁ ଲୁଗା କାଢି ପିନ୍ଧିଥିଲେ। ତେବେ ତାଙ୍କ ପରିବାର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଛଡ଼ାଇ ନେଇଥିଲା ମହାବାତ୍ୟା। ସେଦିନର କଥା ପଚାରିଲେ, ତାଙ୍କ ଆଖି ଛଳ ଛଳ ହୋଇଯାଏ। ଲୁଗା କାନିରେ ଲୁହ ପୋଛି ସେ କୁହନ୍ତି, ରଖେ ହରି ତ ମାରେ କିଏ। ଏବେ ୭୦ବର୍ଷ ବୟସରେ ପରଘରେ କାମ କରି ସେ ପେଟ ପୋଷୁଛନ୍ତି।

ଆଶ୍ରୟସ୍ଥଳୀ ଏବେ ଅସୁରକ୍ଷିତ
ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାର ଗୁରୁତ୍ୱାରୋପ କରିଥିଲେ। ୨୦୦୩ ରେ ମହାରାଷ୍ଟ୍ର ସରକାରଙ୍କ ସହଯୋଗରେ ଏରସମା ବ୍ଲକର ବିଭିନ୍ନ ଗ୍ରାମରେ ୩୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଏଥିପାଇଁ ସେତେବେଳେ ଗୋଟିଏ ଆଶ୍ରୟସ୍ଥଳୀ ପିଛା ୧୮ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ସମୁଦ୍ର ଜୁଆର ତଳେ ଚାଲିଯିବାର ବ୍ୟବସ୍ଥା କରି ପିଲାର ଯୋଗେ ଘର କରାଯାଇ ଉପର ମହଲାରେ ଲୋକଙ୍କ ରହିବା ବ୍ୟବସ୍ଥା ହୋଇଥିଲା। ୧୮ ପିଲାର ବିଶିଷ୍ଟ ବିଶାଳ ଅଟ୍ଟାଳିକାରେ ୭ ବଖରା ଘର ଥିଲା। ପବନ ଦାଉରୁ ସୁରକ୍ଷିତ ରହିବା ପାଇଁ ତାହା ଗୋଲାକାର କରାଯାଇଥିଲା। ଏଥିସହ ସିଡି ଓ ସିଡି ତଳେ ରୋଷେଇ ଘର କରାଯାଇଥିଲା। କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳୀ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି କାନ୍ଥ ଫାଟି ଗଲାଣି ତ ଆଉ କେଉଁଠି ଛାତରୁ ପ୍ଲାଷ୍ଟର ଖସିପଡ଼ିଲାଣି। ବିଶେଷ କରି ସିହା ପଞ୍ଚାୟତରେ ଥିବା ଆଶୟସ୍ଥଳୀଟି ଏବେ ଅସୁରକ୍ଷିତ ହୋଇପଡିଛି। ଝରକା, କବାଟ ସବୁ ଭାଙ୍ଗି ଗଲାଣି। ଇରିବୀଣା, ଗନ୍ଧପୁର, ଚାଉଳିଆ, କାଣିପଦା ଆଦି ସ୍ଥାନରେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ବିପଦସଙ୍କୁଳ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?