Inside pictures of Puri Jagannath Temple go viral again
ପୁରୀ ଅଫିସ, ୨୪।୯: କଟକ ଜିଲା ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଁଘର ବୋଲି ଲୋକମୁଖରେ ପରିଚିତ। ତେଣୁ ପ୍ରଥମାଷ୍ଟମୀରେ ପୋଢୁଆଁ ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରିବା ପାଇଁ ଜଗତ୍ସିଂହପୁରସ୍ଥିତ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ଏବଂ ଶ୍ରୀ ଶ୍ରୀମାଧବାନନ୍ଦଜୀଉ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି। ଗତ ମାସ ୨୫ତାରିଖରେ ଦେବୋତ୍ତର କାର୍ଯ୍ୟାଳୟ ଏବଂ ସୋମବାର ସୁରକ୍ଷା ଅଭିଯାନ ମୁଖ୍ୟ ପ୍ରଶାସକଙ୍କୁ ଏହି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।
ଏଥିରେ ଦର୍ଶାଯାଇଛି ଯେ, ମାଧବାନନ୍ଦଜୀଉ ମନ୍ଦିର ମହାପ୍ରଭୁଙ୍କ ମାମୁଁଘର ବୋଲି ଆମ ସଂସ୍କୃତିରେ ପରିଚିତ ଓ ଉଚ୍ଚାରିତ। ଶ୍ରୀମନ୍ଦିର ନୀତିକାନ୍ତିରେ ମାମୁଁଘର ପରମ୍ପରାର ପୁନଃ ପ୍ରଚଳନର ଗୁରୁତ୍ୱ ରହିଛି। ଜଗନ୍ନାଥ ସଂସ୍କୃତିର ଆଦ୍ୟ କାଳରୁ ମାଧବାନନ୍ଦ ଜୀଉ ମନ୍ଦିର ତରଫରୁ ପ୍ରତିବର୍ଷ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ଦିନ ମାମୁଁ ଭାର ଶ୍ରୀମନ୍ଦିରକୁ ଯାଏ। ସେଥିଲାଗି ମାଧବାନନ୍ଦଙ୍କ ମନ୍ଦିରରେ ସ୍ବତନ୍ତ୍ର ମହୋତ୍ସବ ହୁଏ। କାଳକ୍ରମେ ମୋଗଲମାନେ ଶ୍ରୀମନ୍ଦିର ଆକ୍ରମଣ କରିବା ଯୋଗୁ ଠାକୁରମାନେ ବାରମ୍ବାର ଶ୍ରୀମନ୍ଦିର ଛାଡ଼ିି ଦୀର୍ଘ ସମୟ ବାହାରେ ରହିଥିଲେ। ଫଳରେ ସେବେଠାରୁ ପୋଢୁଆଁ ଅଷ୍ଟମୀ ପ୍ରଥା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଶ୍ରୀଜଗନ୍ନାଥ ସଂସ୍କୃତିପ୍ରେମୀ ଭକ୍ତଗଣ, ବୁଦ୍ଧିଜୀବୀ, ମାଧବାନନ୍ଦ ଜୀଉ ମନ୍ଦିର ପ୍ରଶାସକ, ଛତିଶୀ ନିଯୋଗୀ, ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ସେହି ପ୍ରଥାକୁ ପୁନଃ ପ୍ରଚଳନ କରିବା ନିମନ୍ତେ ଇଚ୍ଛାପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବର ୧୯ ତାରିଖ ସପ୍ତମୀ ଦିନ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର ସହିତ ଅନ୍ୟାନ୍ୟ ସେବା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଜରିଆରେ ଦେବା ପାଇଁ ସ୍ଥିର କରିଛନ୍ତି। ସେଥିଲାଗି ପ୍ରଚଳିତ ବିଧି ଅନୁସାରେ ପାଉଣା ଓ ମାହାସୁଲ ବାବଦ ଅର୍ଥରାଶି ଦାଖଲ କରିବା ପାଇଁ ମଧ୍ୟ ଇଚ୍ଛୁକ। ତେଣୁ ମାମୁଁ ଭାର ଗ୍ରହଣ କରି ଆସନ୍ତା ନଭେମ୍ବର ୨୦ ତାରିଖ ଅଷ୍ଟମୀ ଦିନ ଠାକୁରମାନଙ୍କ ଅଙ୍ଗ ଲାଗି କରାଇବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି।