ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ ମଣିଷ ମଧ୍ୟ। ଅନ୍ୟର ଖୁସିରେ ସେ ଖୁସୀ ହୁଅନ୍ତି। ଆଉ ଅନ୍ୟର ଦୁଃଖ ତାଙ୍କୁ ଦୁଃଖୀ କରିଦିଏ। ଖାସ୍‌ ସେଇଥିପାଇଁ ୨୦୧୪, ଜାନୁୟାରୀରେ ସେ ଆରମ୍ଭ କରିଥିଲେ ‘ଯାତ୍ରାଶ୍ରୀ ବିଶ୍ୱଦରବାର’। ଉଦ୍ଦେଶ୍ୟ କିଛି କଳାକାର ଆଉ କଳାକୁ ଭରସା କରି ବଞ୍ଚୁଥିବା ଲୋକଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ପରିବାରରେ ଖୁସି ଭରିଦେବା। ୧୯୯୧ ମସିହାରୁ କିଶୋରବାବୁ ଯାତ୍ରା ସହିତ ଜଡ଼ିତ ଥିଲେ। ଓଡ଼ିଶାର ଅଧିକାଂଶ ଯାତ୍ରାପାର୍ଟିକୁ ଟେଣ୍ଟ ତଥା ଚେୟାର ଯୋଗାଉଥିଲେ। ଯାତ୍ରାକୁ ନେଇ ତାଙ୍କର ଅନୁଭୂତି ଓ ଅଭିଜ୍ଞତା ଥିଲା। ତେଣୁ ଅନୁଷ୍ଠାନ କରିବାରେ କୌଣସି ଅସୁବିଧା ହୋଇ ନ ଥିଲା। ଇତିମଧ୍ୟରେ ପାର୍ଟିକୁ ୬ ବର୍ଷରୁ ଅଧିକ ହୋଇଗଲାଣି।

କିଶୋରବାବୁ କହନ୍ତି: ଦୁଇଶହ ଲୋକଙ୍କୁ ନେଇ ଗୋଟିଏ ପାର୍ଟି କଲେ ସମସ୍ୟା ତ ରହିବ। ପୁଣି ଯାତ୍ରାପାର୍ଟିକୁ ନାନାଦି ଦୈବୀ ଦୁର୍ବିପାକକୁ ସାମ୍ନା କରିବା ପାଇଁ ହୋଇଥାଏ। ତେବେ ସେସବୁ କଷ୍ଟକୁ ଭୁଲି ହୋଇଯାଏ ଯେତେବେଳେ ଅନୁଷ୍ଠାନ ସହ ଜଡ଼ିତ ଦୁଇଶହ ପରିବାର ମୁହଁରେ ହସ ଫୁଟିଉଠେ। ଏହା କିଛି କମ୍‌ ଆତ୍ମସନ୍ତୋଷ ଆଣିଦିଏନି। ଏବେ ଯାତ୍ରାପାର୍ଟି ସବୁ ଲସ୍‌ କରୁଛନ୍ତି। ତାହାର କାରଣ ଭାବରେ କିଶୋରବାବୁ କହନ୍ତି, ଯାତ୍ରା ପ୍ରତି ଦର୍ଶକମାନଙ୍କ ରୁଚି କମୁଛି। ଟିକେଟ୍‌ ଦର ବଢ଼ିଛି। ପୁଣି ଟିଭି ଚ୍ୟାନେଲଗୁଡ଼ିକରେ ଯାତ୍ରା ସବୁ ଆସୁଥିବାରୁ ଲୋକମାନେ ନିଜ ଘରେ ଦେଖୁଛନ୍ତି। କାହିଁକି ରାତି ଅନିଦ୍ରା ହୋଇ ଯାତ୍ରା ଦେଖିବାକୁ ଆସିବେ। ପୁଣି ସେ କହନ୍ତି ଯେ, ଯାତ୍ରାର ଦର୍ଶକ ହାତଗଣତି କିଛି କଳାକାରଙ୍କୁ ଦେଖିବାକୁ ଚାହୁଁଛନ୍ତି। ସେମାନଙ୍କୁ ବଡ଼ କରିଦଉଛନ୍ତି, ଯଦ୍ଦ୍ବାରା ସେମାନେ ପ୍ରଯୋଜକଙ୍କଠାରୁ ଆଶାଠୁ ବହୁ ଅଧିକ ଦାବି କରୁଛନ୍ତି। ଫଳରେ ପ୍ରଯୋଜକଟି ଅନାବଶ୍ୟକ ଖର୍ଚ୍ଚବୃଦ୍ଧିର ଶିକାର ହେଉଛି। ସେହି ଅନୁଯାୟୀ ରିଟର୍ନ ଆସୁନି। ଏସବୁକୁ ବିଚାରକୁ ନିଆଯିବା ଦରକାର। ତା’ସତ୍ତ୍ୱେ ବି ‘ଯାତ୍ରାଶ୍ରୀ ବିଶ୍ୱଦରବାର’ ପ୍ରତିବର୍ଷ ଭଲ ନାଟକ ଦର୍ଶକଙ୍କୁ ଦେଇ ଆସୁଛି। ଆଉ ଆଗାମୀ ଦିନରେ ମଧ୍ୟ ଅନୁଷ୍ଠାନ ଶିକ୍ଷଣୀୟ ବିଷୟ ତଥା ସମାଜକୁ ଦିଗ୍‌ଦର୍ଶନ ଦେବା ଭଳି କାହାଣୀ ନେଇ ନାଟକ ସୃଷ୍ଟି କରିବ ବୋଲି କହନ୍ତି କିଶୋରଚନ୍ଦ୍ର।

Share