ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

କାମାକ୍ଷାନଗର, ୨୪।୪(ଡି.ଏନ୍‌.ଏ.)- ସାରା ରାଜ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌), ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ମତଦାତାଙ୍କ ମନରେ ଅସନ୍ତୋଷକୁ ଦ୍ୱିଗୁଣିତ କରିଥିବାବେଳେ ଆଦର୍ଶ ବୁଥରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ମାହୋଲ। କାମାକ୍ଷାନଗର ଏନ୍‌ଏସିରେ ହୋଇଥିବା ଆଦର୍ଶ ବୁଥ୍‌ରେ ଏମିତି କିଛି ବ୍ୟବସ୍ଥା କରାଯାଇଥିଲା, ଯାହା ଭୋଟରଙ୍କ ଭିତରେ ଭରିଥିଲା ବିପୁଳ ଉତ୍ସାହ।

ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଥମ ଥର ପାଇଁ କରାଯାଇଥିବା ମଡେଲ ବୁଥ୍‌ ଅନ୍ୟ ସାଧାରଣ ବୁଥ୍‌ଠାରୁ ସହଜରେ ବାରି ହୋଇ ପଡୁଥିଲା। ଏଠାରେ ମତଦାତାଙ୍କୁ ସ୍ବାଗତ କରିବାକୁ ବିଛାଯାଇଥିଲା କାର୍ପେଟ। ଅସହ୍ୟ ଖରାରୁ ରକ୍ଷା ପାଇଁ ବନ୍ଧା ଯାଇଥିଲା ଟେଣ୍ଟ। ଲଗାଯାଇଥିଲା ଫ୍ୟାନ୍‌। ବଣ୍ଟାଯାଉଥିଲା ସର୍ବତ। ଏଠାରେ ପୁରା କୁଲ ମୁଡ୍‌ରେ ଭୋଟରମାନେ ସେମାନଙ୍କ ଜନପ୍ରତିନିଧିଙ୍କୁ ବାଛିବାର ସୁଯୋଗ ପାଇଥିଲେ। ଆଦର୍ଶ ବୁଥ୍‌ର ସାଜସଜ୍ଜା ମଧ୍ୟ ନିଆରା ଥିଲା। ଏହାକୁ ଦେଖିଲେ ଗଣତନ୍ତ୍ରର ମହାପର୍ବର ମହତ୍ତ୍ୱ ଅନୁଭବ କରିହେଉଥିଲା। ଏପରି ଅଭ୍ୟର୍ଥନା ପାଇଥିବା ଭୋଟରମାନେ ମତଦାନ କେନ୍ଦ୍ରରୁ ବାହୁଡ଼ିବାବେଳକୁ ଆପେଆପେ ସେମାନଙ୍କ ମୁହଁରେ ଉକୁଟି ଉଠୁଥିଲା ହସ। ଖାସ୍‌ ଏମିତି ବ୍ୟବସ୍ଥା ସବୁ ମତଦାନ କେନ୍ଦ୍ରରେ କରାଯାଇଥିଲେ ମତଦାନ ହାର ଆହୁରି ବଢ଼ିଥାନ୍ତା ବୋଲି ଅନେକେ ମତ ଦେଇଛନ୍ତି।