ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ ରାଜ୍ୟର ୧୧୫ ଲୋକ ସଭା ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୨।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୫ଟି ରାଜ୍ୟର ୧୧୫ ଆସନରେ ସକାଳ ୭ଟାଠାରୁ ମତଦାନ ଆରମ୍ଭ ହେବ। ଏହା ସହିତ ପୂର୍ବରୁ କୋଣସି କାରଣରୁ ବନ୍ଦ ହୋଇଯାଇଥିବା ୨ଟି ଆସନରେ ମଧ୍ୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଭାଜପା ଅଧ୍ୟକ୍ଷ ଅମିତ ଶାହ ଆଦି ହେଭିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମଇଦାନରେ ଏକ ହଜାର ୬ଶହ ୧୨ ଜଣ ପ୍ରାର୍ଥୀ ଥିବାବେଳେ ସେଥି ମଧ୍ୟରୁ ୩ଶହ ୧୬ ଜଣ ଜାତୀୟସ୍ତରୀୟ ଦଳର ଅଛନ୍ତି। ସେହିପରି ୭୬ ଆଞ୍ଚଳିକ ଦଳର ପ୍ରାର୍ଥୀ, ୪୯୬ ପଞ୍ଜିକୃତ ଦଳ ତଥା ୭୨୪ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ଶହ ୯୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ସେଥି ମଧ୍ୟରେ ଶହେ ୬୦ ଜଣଙ୍କର ସମ୍ପତ୍ତି ୫ କୋଟିରୁ ଅଧିକ ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟରେ ଆସାମର ୪ ଲୋକ ସଭା ଆସନ, ବିହାରର ୫, ଛତିଶଗଡ଼ର ୭, ଗୁଜରାଟର ୨୬, ଗୋଆର ୨, ଜମ୍ମୁ-କଶ୍ମୀରର ୧, କର୍ନାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୧୪ ଆସନରେ ମତଦାନ କରାଯିବ। ସେହିପରି ଓଡ଼ିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦରା ନଗର ହବେଲିର ୧ ଏବଂ ଡାମନ ଡିୟୁର ଗୋଟିଏ ଆସନରେ ମତଦାନ କରାଯିବ। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।