ଭାରିଯାନ କବଳରେ ୫୨୦ ନମ୍ବର ଜାତୀୟ ରାଜପଥ

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣିସମ୍‌ୃଦ୍ଧ ଯୋଡା-ବଡବିଲ ଅଞ୍ଚଳ ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତା ଉପରେ ଭାରିଯାନ ରଖାଯାଉଥିବା ଯୋଗୁ ଟ୍ରାାଫିକ ସମସ୍ୟା ଉପୁଜି ନାହିଁ ନ ଥିବା ଅସୁବିଧା ଦେଖାଦେଉଛି। ଗତ ସପ୍ତାହେ ହେଲା ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥ ଭାରିଯାନ କବଳିତ ହୋଇ ରହିଥିବାରୁ ସାଧାରଣ ଲୋକେ ଯାତାୟତ କରି ନ ପାରି ହଇରାଣ ହେଉଛନ୍ତି। ଏହି ସମସ୍ୟାର ପ୍ରତିକାର ଲାଗି ସାମବାର ମଧ୍ୟାହ୍ନରେ ବଡବିଲସ୍ଥିତ ପୌର ନଗର ଭବନ ଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଖଣିର ଲିଜ୍‌ଧାରୀ, ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଓ ପରିବହନକାରୀ ସଂସ୍ଥାଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ବସିଥିଲା। ବଡବିଲ ଏସଡିପିଓ, ଯୋଡା ଖଣି ଉପ ନିର୍ଦ୍ଦେଶକ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଏନଏଚଏଆଇ ଏବଂ କେନ୍ଦୁଝର ପୂର୍ତ୍ତ ଓ ଗୃହ ବିଭାଗ ଏକଜ୍‌କ୍ୟୁଟିଭ ଇଞ୍ଜିିନିୟରଙ୍କ ସମେତ ବଡବିଲ ପୋଲିସ ସବଡିଭିଜନ ଅଧୀନରେ ଥିବା ୫ ଟି ଥାନା ଯଥା ବାମେବାରୀ, ଯୋଡା, ରୁଗୁଡି, ବଡବିଲ ଓ ବଲାଣୀର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ ରାଜପଥର ଗୁଆଲି- ଭଦ୍ରାସାହି, ଭଦ୍ରାସାହି-ରଣାଶାଳ-କଳାପାହାଡ, କଳାପାହାଡ-ବିଲେଇପଦା ଏବଂ ରାଜ୍ୟ ରାଜପଥର ଯୋଡା-ପଳାସପଙ୍ଗା ଓ ଭଦ୍ରାସାହି-ବଡବିଲ-ନାଲଦା ରାସ୍ତା ଉପରେ ଭାରିଯାନଗୁଡିକୁ ଛିଡାକରି ରଖାଯାଉଥିବାରୁ ଅଧିକାଂଶ ସମୟରେ ରାସ୍ତା ଜାମ୍‌ ହୋଇ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇ ପଡୁଛି। ଏହି ଅଞ୍ଚଳରେ ଭାରିଯାନ ଚଳାଚଳ ନିୟନ୍ତୟଣ କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଥିବାରୁ ପୂର୍ବରୁ ଜିଲା ପ୍ରଶାସନ ଓ ବନ ବିଭାଗର ସହାୟତାରେ ସର୍ଭେ ହୋଇ ବ୍ଲୁ ପ୍ରିଂଣ୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଓ ଅବହେଳା ଯୋଗୁ ବାଇପାସ ରାସ୍ତା ନିର୍ମାଣ ଲାଗି ଡିଏମଏଫ୍‌ରୁ ମିଳିଥିବା ମଞ୍ଜୁରୀ ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି । ତେବେ ଫରେଷ୍ଟ କ୍ଲିୟରାନ୍ସ ମିଳି ନ ଥିବା ଯୋଗୁଁ ବାଇପାସ ରିଂରୋଡ କାର୍ଯ୍ୟ ହୋଇ ପାରି ନାହିଁ ବୋଲି ତହସିଲଦାର କ୍ଷୀରୋଦ କୁମାର ବେହେରା ସୂଚନା ଦେଇଥିଲେ। ଅନ୍ୟପକ୍ଷେ ଖଣି ଲିଜ୍‌ଧାରୀ ଓ ପରିବହନକାରୀ ସଂସ୍ଥାମାନେ ନୋ-ଏଣ୍ଟ୍ରି ବ୍ୟବସ୍ଥାକୁ ଅଣଦେଖା କରି ଦିବାରାତ୍ର ରାଜ୍ୟ ଓ ଜାତୀୟ ରାଜପଥକୁ କବଳିତ କରି ରଖୁଥିବାରୁ ବୈଠକର ଚିନ୍ତା ପ୍ରକଟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏସଡିପିଓ ଦିଲିପ ବାଗ କହିଥିଲେ, ଖଣି ଓ କାରଖାନା କର୍ତ୍ତୃପକ୍ଷ ଏଣିକି ନିଜ ପରିସରରେ ପାର୍କିଂସ୍ଥଳ କରି ସେଠାରେ ଭାରିଯାନ ରଖିବେ। କାରଖାନା ବାହାରେ ରାସ୍ତାକୁ ଅବରୋଧ କରାଗଲେ ଭାରିଯାନ ଉପରୁ ଜରିମାନା ଆଦାୟ କରାଯିବ। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏମଭିଆଇଙ୍କ ଦ୍ୱାରା ଏହି ଜରିମାନା ଆଦାୟ ହେବ। ଖଣି ଓ କାରଖାନା ବାହାରେ କୌଣସି ରାସ୍ତାରେ ଭାରି ଯାନ ରଖି ଅବରୋଧ ନ କରିବାକୁ ଖଣି ଓ ପରିବହନକାରୀ ସଂସ୍ଥାମାନେ ଯତ୍ନବାନ ହୁଅନ୍ତୁ ବୋଲି ତହସିଲଦାର ବେହେରା କହିଥିଲେ।