Manesar: A view of the quarantine facility which has been setup by the Army for the 300 students, who are being brought back from coronavirus-hit Wuhan in China, at Manesar, Haryana, Delhi, Jan. 31, 2020. (Twitter/PTI Photo) (PTI1_31_2020_000121B)
ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ସହାୟତାରେ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟ ୫ଜଣଙ୍କୁ ସଙ୍ଗରୋଧ କରି ରଖିଛନ୍ତି। କାରଖାନା କର୍ମଚାରୀ, ଶ୍ରମିକ ଏବଂ ସାଧାରଣ ଜନତାଙ୍କ ମଙ୍ଗଳ ପାଇଁ ଜିଲା ପ୍ରଶାସନ ସହ ସମନ୍ବୟରେ କାର୍ଯ୍ୟ କରୁଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ଏକ ବିବୃତିରେ ଜଣାଇଛନ୍ତି। ବିବୃତିରେ ଆହୁରି କୁହାଯାଇଛି ଯେ, ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଏହି ରୋଗୀ ୨୦ା୪ା୨୦୨୦ରେ ଚିହ୍ନଟ ହେବା ପରେ କାରଖାନାରେ ଏକତ୍ର ରହୁଥିବା ୯ଜଣ ଶ୍ରମିକ କମ୍ପାନୀର କୌଣସି ଅଧିକାରୀଙ୍କୁ ନ ଜଣାଇ ନିଜ ଗ୍ରାମକୁ ପଳାଇ ଯାଇଥିଲେ। ଏହା ସାର୍ବଜନୀନ ହେଲା ପରେ ଜିଲା ପ୍ରଶାସନ କାରଖାନା କର୍ତ୍ତୃପକ୍ଷଙ୍କ ନଜରକୁ ଆଣିଥିଲା। ପରେ ଜିଲା ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯାଇଥିଲା ଯେ, ସମସ୍ତ ୯ଜଣ ଶ୍ରମିକ ନିଜ ଗ୍ରାମରେ ପହଞ୍ଚି ସଙ୍ଗରୋଧରେ ରହିଛନ୍ତି। ଏହି ବ୍ୟକ୍ତିମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। କାହାକାହା ସହିତ ସମ୍ପର୍କରେ ଆସିଛନ୍ତି ତାହାର ଅନୁସନ୍ଧାନ କମ୍ପାନୀ ପକ୍ଷରୁ ଜାରି ରହିଛି। ଦାନଗଦୀ ବିଡିଓ ମଣିପ୍ରସାଦ ମିଶ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରୁଛନ୍ତି ବୋଲି କମ୍ପାନୀ କର୍ତ୍ତୃପକ୍ଷ ବିବୃତିରେ ଦର୍ଶାଇଛନ୍ତି। ତେବେ ଏହି ଖବର ସାର୍ବଜନୀନ ହେବା ପରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ, ଅଧିକାରୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭଣ୍ଡାରିପୋଖରୀ ଅଞ୍ଚଳର କରୋନା ସଂକ୍ରମିତ ନିକଟ ସମ୍ପର୍କୀୟଙ୍କ ସ୍ବାବ ନମୁନା ପରୀକ୍ଷା ରିପୋର୍ଟକୁ ଜିନ୍ଦଲ କାରଖାନାରେ ସମ୍ପୃକ୍ତ ସମସ୍ତ କର୍ମଚାରୀ, ଶ୍ରମିକ, ଅଧିକାରୀ ଓ ଆଖପାଖ ଲୋକ ଅପେକ୍ଷାରେ ରହିଛନ୍ତି। ବୁଧବାର ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଆହୁରି ୩ଜଣ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ କଳିଙ୍ଗନଗର ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ସାମ୍ନାକୁ ଆସିଛି। ପୁଣି ତାହା ଜିନ୍ଦଲ କାରଖାନାର ଶ୍ରମିକଙ୍କ ଲିଙ୍କ ନୁହେଁ ବୋଲି ଜଣାପଡିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି।