ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ, ୧୫ା୩- ମୟୂରଭଞ୍ଜ ଜିଲାରେ ବ୍ରାଉନ ସୁଗାର ର଼୍ୟାକେଟ ସକ୍ରିୟ ଥିବା ସୂଚନା ମିଳିଛି। ଶନିବାର ବାରିପଦା ଟାଉନ ପୋଲିସ ଚଢ଼ାଉ କରି ୧୦.୦୯ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରି ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ଶୂନଗାଡ଼ିଆର କୁନି ଘଡ଼େଇ ଓ ସୁନ୍ଦରଗଡ଼ ଟାଉନ ଥାନା ରାଣୀବଗିଚାର ଜ୍ଞାନରଞ୍ଜନ ବେହେରା (୨୬) । ପୋଲିସ ଏହି ସୂଚନା ଦେଇ କହିଛି ଯେ, ସ୍ଥାନୀୟ ସହରରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ମିଳିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ୍‌ ସ୍କ୍ବାର୍ଡ଼ ବାରିପଦା ଟାଉନ ପୋଲିସ ସହାୟତାରେ ଶୂନଗାଡ଼ିଆ ଗଳାପୋଲ ନିକଟରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଜ୍ଞାନରଞ୍ଜନ ସୁନ୍ଦରଗଡ଼ରୁ ବାରିପଦାର କୁନିଙ୍କ ନିକଟକୁ ବ୍ରାଉନ ସୁଗାର କିଣିବା ପାଇଁ ଆସିଥିଲେ। ଉଭୟଙ୍କୁ ପୋଲିସ ଧରି ଜେରା କରିବା ପରେ ଜଳେଶ୍ୱରରୁ ବାରିପଦା ବ୍ରାଉନସୁଗାର ଅଣାଯାଇ ସୁନ୍ଦରଗଡ ସମେତ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଜଣାପଡିଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୧୫୫/୨୦ରେ ରୁଜୁ କରି ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।