ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ:ମିଳୁନି କଣ୍ଟ୍ରୋଲ ୟୁନିଟ୍‌, ୬୨ ନଂ. ବୁଥ୍‌ରେ ହୋଇପାରେ ସାନି ନିର୍ବାଚନ

ପୁରୀ ଅଫିସ/ବ୍ରହ୍ମଗିରି,(ଡି.ଏନ.ଏ.)୨୭ା୪: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଏକ ବୁଥ୍‌ରେ ମତଦାନ ଶେଷହେବା ପରେ ଏକ ତ୍ରୁଟି ଦେଖାଦେଇଛି। ସମ୍ପୃକ୍ତ ବୁଥ୍‌ର କଣ୍ଟ୍ରୋଲ ୟୁନିଟ୍‌ ମିଳୁ ନ ଥିବାରୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଫଳରେ ଏହି ବୁଥ୍‌ରେ ସାନି ନିର୍ବାଚନ ହେବା ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅଧୀନ ବାଘମୁଣ୍ଡା ୬୨ ନଂ. ବୁଥ୍‌ରେ ଗତ ୨୩ ତାରିଖରେ ମତଦାନ ହୋଇଥିଲା। ମତଦାନ ଶେଷ ପରେ ନିର୍ବାଚନ ପରିଚାଳନା କରୁଥିବା ଅଫିସରମାନେ ସମସ୍ତ ମେଶିନ ଷ୍ଟ୍ରଙ୍ଗରୁମ୍‌ରେ ଜିମା ଦେଇଥିଲେ। ହେଲେ ଷ୍ଟ୍ରଙ୍ଗରୁମ୍‌ରେ ସିଲ୍‌ ହେବା ସମୟରେ ୬୨ ନଂ. ବୁଥ୍‌ର ବିଧାନସଭା କଣ୍ଟ୍ରୋଲ ୟୁନିଟ୍‌ ମିଳି ନ ଥିଲା। ଏହା ଜଣାପଡ଼ିବା ପରେ ଗତ ବୁଧବାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନିର୍ବାଚନ ଏଜେଣ୍ଟ ପ୍ରସନ୍ନ କୁମାର ପଲାଇ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି ଯେ, କଣ୍ଟ୍ରୋଲ ୟୁନିଟ୍‌ ବୁହାଯିବା ବେଳେ ତାହା ଅସାବଧାନତାବଶତଃ ଅନ୍ୟ କୌଣସି ଷ୍ଟ୍ରଙ୍ଗରୁମ୍‌ରେ ରହିଯାଇଥାଇପାରେ। ଏହି ସମସ୍ୟା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ସାନି ନିର୍ବାଚନ ହେବ କି ନାହିଁ ତାହା ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଜିଲାପାଳ ଦାଶ କହିଛନ୍ତି।