ବୃଦ୍ଧାଙ୍କୁ ଗଣବଳାତ୍କାର ଘଟଣାରେ ୨ ଗିରଫ

ବଡ଼ଗାଁ, ୧୪।୭ (ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ନିକଟ ଝାରମୁଣ୍ଡା ଗ୍ରାମରେ ଜନୈକା ବୃଦ୍ଧା (୬୫ବର୍ଷ)ଙ୍କୁ ୯ ତାରିଖ ଗଣ ବଳାତ୍କାର ହୋଇଥିଲା। ଏହି ଘଟଣାରେ ଶନିବାର ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଥାନାରେ ଏକ ମାମଲା (ନଂ. ୧୦୧/୨୦୧୯) ରୁଜୁ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଝାରମୁଣ୍ଡା ଗ୍ରାମର ବିବାହିତ ବ୍ୟକ୍ତି ଖଗେଶ୍ୱର ନାଏକ (୫୫) ଓରଫ ଶୁକ୍ର ଏବଂ ଅବିବାହିତ ଯୁବକ ନବୀନ କୁମାର ପ୍ରଧାନ (୨୫) ଓରଫ କୁନୁ। ସୂଚନାନୁଯାୟୀ, ୯ ତାରିଖ ରାତି ୮ଟାରେ ବୃଦ୍ଧା ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ହଳ ବଳଦ ଯୋଗାଡ କରିବାକୁ ଯାଇଥିଲେ। ଫେରିବା ବେଳେ ଅଭିଯୁକ୍ତ ଦ୍ୱୟ ବୃଦ୍ଧାଙ୍କୁ ନିକଟବର୍ତ୍ତି ପ୍ରାଥମିକ ସ୍କୁଲକୁ ଟେକିନେଇ ଜବରଦସ୍ତ ଦେଶୀ ମଦ ପିଆଇ ରାତି ତମାମ ଉଭୟେ ବଳାତ୍କାର କରିଥିଲେ। ଭୋର ବୃଦ୍ଧାଙ୍କୁ ଛାଡି ଚାଲିଯାଇଥିଲେ । ଅସୁସ୍ଥ ଅବସ୍ଥାରେ ବୃଦ୍ଧା ପଡିଥିବା ଶୁଣି ତାଙ୍କ ଝିଅ ଜ୍ୱାଇଁ ଉଦ୍ଧାର କରି ଘରକୁ ଆଣିଥିଲେ। ବିଳମ୍ବରେ ୧୨ ତାରିଖ ଏହି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହା ଜାଣିପାରି ଅଭିଯୁକ୍ତ ଦ୍ୱୟ ଗାଁ ନିକଟ କୌଣସି ସ୍ଥାନରେ ଲୁଚି ଯାଇଥିଲେ । ଥାନା ଆଇଆଇସି ସୂର୍ଯ୍ୟକାନ୍ତି ଦାସ, କନଷ୍ଟେବଲ ରମେଶ ଚନ୍ଦ୍ର ପଟେଲ, କାନ୍ତି ବେହେରା ଗାଁକୁ ଯାଇ ଚତୁରତାର ସହିତ ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲେ। ଶନିବାର ସକାଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିଥିଲେ। ଶୁକ୍ରବାର ରାତିରେ ଏସ୍‌ପି ସୌମ୍ୟା ମିଶ୍ର ବଡଗାଁ ଥାନାକୁ ଆସି ଜେରା କରିଥିଲେ। ଶନିବାର ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ ଅଭିଯୁକ୍ତଙ୍କୁ ଜେରା କରିଛନ୍ତି। ଶନିବାର ସୁନ୍ଦରଗଡ ମେଡିକାଲରେ ଡାକ୍ତରୀ ପରୀକ୍ଷା ପାଇଁ ବୃଦ୍ଧାଙ୍କୁ ନିଆଯାଇଛି।