ବୃଦ୍ଧଙ୍କୁ ଚାପିଦେଲା ଟ୍ରେଲର

ପାଟଣାଗଡ଼,୫ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରେଲର ଚାପାରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାଟଣାଗଡ଼ ନିକଟସ୍ଥ ଗଙ୍ଗାସାଗର ଗ୍ରାମର ଗୋଲବଦନ ନାଗ (୬୦)। ସେ ପାଟଣାଗଡ଼ର ଏକ ଲଜ୍‌ରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ନିଜ ଘର ଗଙ୍ଗାସାଗର ଗ୍ରାମରୁ ବସରେ ଆସି ବ୍ଲକ ଛକରେ ଓହ୍ଲାଇ ଲଜ୍‌କୁ ଯିବା ସମୟରେ କଣ୍ଟାବାଞ୍ଜି ପଟରୁ ପଦ୍ମପୁର ଯାଉଥିବା ଏକ ଟ୍ରେଲର (ଆର.ଜେ.୪୨ ଜି.ଏ. ୫୭୯୭) ବ୍ଲକ ଛକ ନିକଟରେ ତାଙ୍କୁ ଚାପି ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁଇଟି ଟ୍ରକ ଓଭରଟେକ୍‌ କଲା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛିି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଅଛି। ପୂର୍ବରୁ ଏହି ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ସ୍ପିଡ୍‌ ବ୍ରେକର ଦେବାକୁ ଅନୁରୋଧ କରିଆସୁଛନ୍ତି। ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁନାହିଁ। ଆଜିର ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।