ବୁଲ୍‌ବୁଲ୍‌ ପ୍ରଭାବ: ପାଣିରେ ବୁଡିଲା ଧାନଗଛ

ବାହାନଗା, ୯ା୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଦିନତମାମ ଲାଗିରହିଛି। ପବନ ବହିବାରୁ ଧାନଗଛର ଥୋଡ ସବୁ ପାଣିରେ ମିଶିଯାଇଛି। ଫଳରେ ଚାଷୀମାନେ ହତାଶ ହୋଇପଡିଛନ୍ତି।
ବ୍ଲକର ୧୮ହଜାର ୭ଶହ ହେକ୍ଟର ଚାଷଜମି ଥିବା ବେଳେ ସେଥିମଧ୍ୟରୁ ୧୮ ହଜାର ହେକ୍ଟରରୁ ଅଧିକ ବିଲରେ ଚାଷ ହୋଇଥିଲା। ଚଳିତବର୍ଷ ଡେରିରେ ବର୍ଷା ହେବା ସତ୍ତ୍ୱେ ଚାଷୀମାନେ ଗଭୀର ନଳକୂପ ଦ୍ୱାରା ପାଣି ବାହାର କରି ଚାଷ କରିଥିଲେ। ଚାଷୀମାନେ ଋଣ କରିବା ସହିତ ଧାର କରଜ କରି ଚାଷ କରିଥିଲେ। ମାତ୍ର କିଛି ଦିନ ତଳେ ଲଘୁଚାପ ବର୍ଷା ହେବାରୁ କେତେକ ସ୍ଥାନରେ ବାହାରୁଥିବା ଧାନ ଗଛ ଜମିଥିବା ପାଣିରେ ମିଶିଯାଇଥିଲା। ପୁନର୍ବାର ଏବେ ବୁଲ୍‌ ବୁଲ୍‌ ନାମକ ବାତ୍ୟା ପଶ୍ଚିମ- ଉତ୍ତର ଦିଗ ଆଡକୁ ଗତି କରୁଥିବା ବେଳେ ତାହାର ପ୍ରଭାବରେ ବର୍ଷା ହେବା ସହିତ ପବନ ହେବାରୁ ବାହାନଗା ବ୍ଳକ ଅଞ୍ଚଳରେ ଧାନଗଛଗୁଡକି ପାଣିରେ ପଡିଯାଇଛି ା ଫଳରେ କଞ୍ଚା ଧାନ ପାଣିରେ ପଚିଯିବ ବୋଲି ଚାଷୀ ମହେନ୍ଦ୍ର ଯେନା ପ୍ରକାଶ କରିଛନ୍ତି। ଯଦି ବାତ୍ୟା ପ୍ରଭାବରେ ଶୁକ୍ରବାର ରାତିରୁ ଅଧିକ ଜୋରରେ ପବନ ବହେ ତା’ହେଲେ ଚାଷୀମାନଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯିବ ବୋଲି ଚାଷୀ ଭରତ ଦାଶ ପ୍ରକାଶ କରିଛନ୍ତି।