Categories: ଯାଜପୁର

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣା : ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ରସୁଲପୁର, ୭ା୬(ଡି.ଏନ.ଏ.):  ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣାରେ ଜଣେ ଯୁବତୀ ଗୁରୁବାର ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ବାହାବାଳପୁର ଗ୍ରାମର ସତ୍ୟଜିତ୍‌ ରାଉତଙ୍କ ଓଡ଼ିଶୋ ପଞ୍ଚାୟତର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପରେ ବିବାହ ପ୍ରତିଶ୍ରୁତି ଦେଇ ସତ୍ୟଜିତ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ହେଲେ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାର ସପ୍ତାହକ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଯୁବତୀ ଗତ ୪ତାରିଖରେ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷଙ୍କୁ ଭେଟି ଅଭିଯୋଗ କରିଥିଲେ।
ପ୍ରକାଶ ଯେ, ମେ ୨୫ ତାରିଖ ରାତିରେ ସତ୍ୟଜିତ ପ୍ରେମିକାଙ୍କ ଘରକୁ ଆସି ସମ୍ପର୍କ ରଖିବାକୁ ପ୍ରୟାସ କରିଥିଲେ। ସତ୍ୟଜିତଙ୍କ ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ଜାଣି ତାଙ୍କ ସହ ମିଳାମିଶା କରିବାକୁ ଯୁବତୀ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପାଟିଶୁଣି ପରିବାର ଲୋକେ ସତ୍ୟଜିତଙ୍କୁ କାବୁ କରିଥିଲେ। ଏହି ଘଟଣାକୁ ନେଇ ଊଭୟ ପରିବାର ମଧ୍ୟରେ ଆଲୋଚନା ହୋଇଥିଲା। ଏହାର ସୁଯୋଗରେ ସତ୍ୟଜିତ ଖସି ପଳାଇଯାଇଥିଲେ। ପରେ ସତ୍ୟଜିତଙ୍କ ପରିବାର ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ରାଜି ନ ହେବାରୁ ଯୁବତୀ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଯୁବକ ଜଣକ ଗଁ।ରେ ଖୁଲମଖୁଲା ବୁଲୁଥିବାବେଳେ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଜଣାପଡ଼ିଛି। ପୋଲିସ ରାଜନୈତିକ ଚାପରେ ତାଙ୍କୁ ଗିରଫ କରୁ ନ ଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି।