ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ା ବିଭିନ୍ନ ସ୍ଥାନରେ ଶହଶହ ଗଛ ଉପୁଡି ପଡିଛି। ଶଙ୍କରା, ସେଲେଡି, କଇଁତରା, ବାଉଁଶୁଣୀ, ମହଦା ଅଞ୍ଚଳରେ ପ୍ରବଳ କୁଆ ପଥର ମାଡରେ ଶତାଧିକ ଚାଷୀଙ୍କର ରବି ଧାନଫସଲ ନଷ୍ଟ ହୋଇଛି ା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ଯୋଗୁଁ ଗତ ରାତିଠାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ରାମପୁର-ବିନିକା-ସୋନପୁର ମୁଖ୍ୟରାସ୍ତାରେ ଉପୁଡି ପଡିଥିବା ବଡବଡ ଗଛକୁ ବୁଧବାର ସକାଳେ ଅଗ୍ନିଶମ ବିଭାଗ ହଟାଇବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ରହିଥିବା ଯାନବାହନ ଚଳାଚଳ କରିଥିଲା। ସେଲେଡି ଗ୍ରାମର ଗୌରୀ ନାୟକଙ୍କ ଏକ ବଳଦ ଉପରେ ଗଛ ପଡିଯିବାରେ ତାର ମୃତ୍ୟୁ ଘଟିଛି। ଏହି ଗଁାର ବହୁ ଲୋକଙ୍କର ଛପର ଘର ଭାଙ୍ଗି ଯାଇଛି ା ସୋନପୁର-ବିନିକା ରାସ୍ତା ମଧ୍ୟବର୍ତ୍ତୀ ଟାଙ୍ଗିଆଳିସା ବିଦ୍ୟୁତ୍‌ ଗ୍ରୀଡ୍‌ ପାଖରେ ଥିବା ଆମ୍ବଗଛ, ବିଶାଳପାଲି ଉମାବିଷ୍ନୁ ରାଇସ ମିଲ୍‌ ଓ ରାମପୁର ତହସିଲ ନିକଟରେ ଥିବା ପିପଳ ଗଛ ଝଡତୋଫାନରେ ଉପୁଡି ପଡିବାରେ ସମ୍ପୃକ୍ତ ରସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା ା କ୍ଷୟକ୍ଷତି ଆକଳନ କରି ଅବିଳମ୍ବେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।