ବିଦ୍ୟାଳୟ ସାମ୍ନାରୁ ୩ୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ

ବାହାନଗା, ୨୩।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସୋମବାର ଅପରାହ୍ନ ୪ଟା ବେଳେ ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରାଯାଇଛି। ଦୁର୍ବୃତ୍ତମାନେ ଏକ ବୋଲେରୋରେ ତାଙ୍କୁ ଅପହରଣ କରିନେଇଥିବା ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ଜେଜେବାପା ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ନାମ ଶୁଭଙ୍କର ମହାଳିକ(୮)।
ବିଦ୍ୟାଳୟ ଛୁଟି ହେବା ବେଳେ ଶୁଭଙ୍କର ବସ୍ତାନୀ ଧରି ବିଦ୍ୟାଳୟ ବାହାରକୁ ଆସିଥିଲେ। ଏହି ସମୟରେ ବାହାରେ ଏକ ବୋଲେରୋ ଧରି ଜଗି ରହିଥିବା କେତେକ ଦୃର୍ବୃତ୍ତ ତାଙ୍କୁ ଜବରଦସ୍ତ ଗାଡି ଭିତରକୁ ଟେକି ନେଇଥିଲେ। ଛାତ୍ର ଜଣକ ଚିକତ୍ାର କରୁଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇବାକୁ ସକ୍ଷମ ହୋଇପାରି ନ ଥିଲେ। ଏହି ଘଟଣା ପରେ ଛାତ୍ରଙ୍କ ସାଙ୍ଗମାନେ ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକମାନଙ୍କୁ କହିଥିଲେ। ଶିକ୍ଷକମାନେ ଛାତ୍ରଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଶୁଭଙ୍କରଙ୍କ ଜେଜେବାପା ନଟବର ମହାଳିକ ଅନନ୍ତପୁର ଫାଣ୍ଡିରେ ନାତି ଅପହରଣ ନେଇ ଅଭିଯୋଗ କରଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ଯେନା ମଧ୍ୟ ଅନୁରୂପ ଭାବେ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ବାପା ସୂର୍ଯ୍ୟକାନ୍ତ ମହାଳିକ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ତେବେ ଦେଢ଼ବର୍ଷ ପୂର୍ବେ ଛାତ୍ରଙ୍କ ମା’ ଅନ୍ୟ ଜଣେ ଯୁବକକୁ ଦ୍ୱିତୀୟ ବିବାହ କରିଛନ୍ତି ା ଅନନ୍ତପୁର ଫାଣ୍ଡିରେ ପୃଥକ୍‌ ଭାବେ ଦୁଇଟି ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।