Puri: A view of the destruction caused by Cyclone Fani after its landfall, in Puri, Friday, May 3, 2019. (PTI Photo) (PTI5_3_2019_000174B)
ଭୁବନେଶ୍ୱର, ୨୧।୬(ବ୍ୟୁରୋ): ବାତ୍ୟା ଫନୀ କ୍ଷୟକ୍ଷତି ଆକଳନ କରିବା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଶୁକ୍ରବାର ପୁରୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ପୁରୀ ଜିଲାର ବିଭିନ୍ନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲାପାଳଙ୍କ ସହିତ ଆଲୋଚନା କରିବେ। ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟଶାସନ ସଚିବ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ ଆଲୋଚନା କରିବେ। ଏହି ଟିମ୍ ଶନିବାର ଖୋର୍ଦ୍ଧା ଜିଲାର କେତେକ ସ୍ଥାନ ପରିଦର୍ଶନ କରିବା ପରେ ଅପରାହ୍ନରେ ନୂଆ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଟିମ୍ କେନ୍ଦ୍ର ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଟିମ୍ ମେ ୧୨ରୁ ୧୫ ତାରିଖ ମଧ୍ୟରେ ପୁରୀ, କଟକ ଓ ଖୋର୍ଦ୍ଧା ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତଙ୍କୁ ରିଲିଫ ମିଳିଛି କି ନାହିଁ, ବାତ୍ୟା ପରେ କି ଅସୁବିଧା ହେଉଛି ଓ ସେମାନଙ୍କ ନଷ୍ଟ ହୋଇଯାଇଥିବା ନଡ଼ିଆ ଗଛ, ଘର ଉଜୁଡ଼ା କ୍ଷେତ ବୁଲି ଦେଖିଥିଲେ। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଓ ପରିମଳ ବିଭାଗ ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ଖୋର୍ଦ୍ଧା ଜିଲାର ଜଟଣୀ ପୌରାଞ୍ଚଳ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ବାତ୍ୟା ‘ଫନୀ’ ମାଡ଼ରେ ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲାରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା।