ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଆଉ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୯ା୧୨(ଡି.ଏନ୍‌.ଏ.): ଗତ ସପ୍ତାହ ତଳେ ରାଇରଙ୍ଗପୁର ଅଞ୍ଚଳର ଏକ କଲେଜର ଜଣେ ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଟାଉନଥାନା ପୋଲିସ ଗିରଫ ପରେ ରବିବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁର ଗ୍ରାମର ରାଜେଶ ସାହୁ। ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୧୫୪/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ପୂର୍ବରୁ ୨ ଜଣ ଅଭିଯୁକ୍ତ ଝାରପୋଖରିଆ ଥାନା ଅଧୀନ ପାନ୍ଧଡ଼ା ଗ୍ରାମର ଦେବବ୍ରତ ମଣ୍ଡଳ ଓ ସୁଜିତ କୁମାର ମଣ୍ଡଳଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଝାରପୋଖରିଆ ଥାନା ପୋଲିସ ପକ୍ଷରୁ ମାମଲା(ନଂ.୧୨୫/୧୯)ରେ ବଳାତ୍କାର ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁଙ୍କୁ ଯାଜପୁର ଜିଲା ଅଞ୍ଚଳରୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଉକ୍ତ ମାମଲାରେ ପୋଲିସ ମୋଟ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।