ବର୍ଦ୍ଧିତ ଭତ୍ତାରୁ ବଞ୍ଚତ୍ତ ଜଗବନ୍ଧୁ

ବନ୍ତ, ୨୪।୬ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ବୃଦ୍ଧାବୃଦ୍ଧ, ବିଧବାମାନଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟରେ ଭତ୍ତା ପ୍ରଦାନର ସୁବିଧା କରିଛନ୍ତି। ମାତ୍ର ଏହି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀମାନେ ପାଇପାରୁ ନାହାନ୍ତି। ରାଜ୍ୟ ସରକାର ୬୦ବର୍ଷରୁ ଉଦ୍ଧର୍‌ବ ବୃଦ୍ଧାବୃଦ୍ଧଙ୍କ ପାଇଁ ୩୦୦ ଟଙ୍କା ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧଙ୍କୁ ୫୦୦ ଟଙ୍କା ଭତ୍ତା ପ୍ରଦାନର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କର ୨ ଶହ ଟଙ୍କା ବୃଦ୍ଧି କରାଯାଇଛି। ହେଲେ ଏହି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ ଜଗବନ୍ଧୁ ଦାସ। ଏ ନେଇ ସେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି।
ଜଗବନ୍ଧୁଙ୍କ ଘର ବନ୍ତ ବ୍ଲକ ନିଳୋକ ଗ୍ରାମରେ। ଏବେ ତାଙ୍କ ବୟସ ୮୨ ବର୍ଷ। ଗତ ଦୁଇବର୍ଷ ଧରି ସେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏ ପରିପ୍ରେକ୍ଷୀରେ ସେ ଗତ ଫେବୃୟାରୀ ମାସରେ ନିଜର ଫଟୋ ପରିଚୟପତ୍ର ଓ ଭୋଟର ତାଲିକାର ଜେରକ୍ସ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏଥିସହ ସେ ଭତ୍ତା ବିଭାଗ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରିିଥିଲେ। ଏହାମଧ୍ୟରେ ୪ ମାସ ବିତିଗଲାଣି। ଅଦ୍ୟାବଧି ସେ ବର୍ଦ୍ଧିତ ଭତ୍ତା ପାଇପାରିନାହାନ୍ତି। ପ୍ରତ୍ୟେକ ମାସ ଭତ୍ତା ମିଳୁଥିବା ତାରିଖରେ ସେ ବର୍ଦ୍ଧିତ ଭତ୍ତା ପାଇବା ନେଇ ଆଶା ବାନ୍ଧି ଥିବାବେଳେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ସରକାରଙ୍କର ଏହି ଯୋଜନା କାହା ସ୍ବାର୍ଥରେ ବୋଲି ସେ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।