ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୮।୬(ଡି.ଏନ.ଏ.): ଭବାନୀପାଟଣା ପୌର ସଂସ୍ଥା ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଶନିବାର ଅପରାହ୍ନ ୪ଟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ପ୍ରଶ୍ନ ଷଡଙ୍ଗୀ ଯୋଗଦେଇଥିଲେ। ଏଥିରେ ପୌରସଂସ୍ଥାର କର୍ମଚାରୀମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତରେ ତାଲିମ୍‌ ପ୍ରଦାନ କରାଯାଇଥିଲା। ଏଥିରେ ପୌର ସଂସ୍ଥାର ସଫେଇ କର୍ମଚାରୀ, ସୁପରଭାଇଜର, ସୁଇପର ଓ ପୌର ସଂସ୍ଥାର ସମସ୍ତ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ବିଶେଷ କରି ସଫେଇ କର୍ମଚାରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ତାଲିମ ପ୍ରଦାନ କରାଯାଇଥିଲା। ବର୍ଜ୍ୟବସ୍ତୁ ସଂଗ୍ରହ, ପରିବହନ, ଘରୁ ବାହାରୁଥିବା ସୁଖିଲା ଓ ଓଦା ବର୍ଜ୍ୟବସ୍ତୁ, ଦୋକାନ ଓ ବଜାରରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଅଣ୍ଡା, ମାଛ, ମାଂସ, ଚିକେନ୍‌ ଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ପୌର ସଂସ୍ଥା ପକ୍ଷରୁ ଦିଆଯାଇଥିବା ନିଳ ଓ ସବୁଜ ଡଷ୍ଟବିନ୍‌ରେ ଠିକ୍‌ ଭାବରେ ପକାଇବା, ସାହି, ବସ୍ତି, ପଡା ଓ ଅନ୍ୟସ୍ଥାନରେ ଲୋକ କିପରି ଆବର୍ଜନା ବାହାରେ ନ ପକାଇବେ ସେଥିପ୍ରତି ଧ୍ୟାନ ଦେବା ଉପରେ ପ୍ରଶିକ୍ଷକ ଚୀନ୍ମୟ ସାହୁ ପ୍ରଶିକ୍ଷଣ ଦେଇଥିଲେ। ଭବାନୀପାଟଣା ସହରକୁ ପଲିଥିନ ମୁକ୍ତ କରିବା ପାଇଁ ସବୁଜ, ସ୍ବଚ୍ଛ ଓ ସୁନ୍ଦର ଭାବେ ଗଡିତୋଳିବା ପାଇଁ ମୁଖ୍ୟଅତିଥି ଡିଆରଡିଏ ପିଡି ଷଡଙ୍ଗୀ ଆହ୍ବନ ଦେଇଥିଲେ। ଆବଶ୍ୟକସ୍ଥଳରେ ଦୋକାନ ବଜାର ଉପରେ ଚଢାଉ କରାଯିବ ବୋଲି ନିର୍ବାହୀ ଅଧିକାରୀ ମିଶ୍ର ଚେତାଇ ଦେଇଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧରକାରୀ ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ବିମ୍ବାଧର ସାହୁ, ଏପିଡି ବିମଲ ପ୍ରଶାଦ ସାହୁ, ପୌର ସଂସ୍ଥାର ମ୍ୟୁନ୍‌ସିପାଲ୍‌ ଇଞ୍ଜିନିୟର୍‌ ସମୀର କୁମାର ଠାକୁର, ସେରିଟେସନ୍‌ ଏକ୍ସପାଟ୍‌ ଚୀନ୍ମୟ ସାହୁ ପ୍ରମୁଖ ଯୋଗଦେଇଥିଲେ।