Close up of male hands in bracelets behind back
ପାଟପୁର,୨୧ା୮(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ.ଗୋପାଳପୁର ଗ୍ରାମର ବାସନ୍ତୀ ପ୍ରଧାନ। ବୁଧବାର ସକାଳେ ପାଟପୁର ପୋଲିସ ଓ ସାନଖେମୁଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟେଟ୍ ଅମିତ କୁମାର ନାୟକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ଜଣାପଡିଛି। ପୂର୍ବରୁ ମୋ ଝିଅକୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବାବେଳେ ମଙ୍ଗଳବାର ରାତିରେ ମାରିଦେଇଛନ୍ତି ବୋଲି ବାସନ୍ତୀଙ୍କ ବାପା ବିଷ୍ଣୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ନଂ.୧୬୧/୧୯ରେ ମାମଲା ରୁଜୁ କରି ପୋଲିସ ମୃତ ବାସନ୍ତୀଙ୍କ ସ୍ବାମୀ କୃଷ୍ଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛି। ଅନ୍ୟପକ୍ଷରେ ବାସନ୍ତୀ ଆତ୍ମହତ୍ୟା କରିଥିବା ସ୍ବାମୀ ଓ ଶାଶୁଘର ଲୋକେ ପୋଲିସ ନିକଟରେ ବୟାନ ଦେଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତିି।
ପ୍ରକାଶ ଯେ, ଆସିକା ଥାନା ସିମାଖାଇ ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ଝିଅ ବାସନ୍ଦୀ ଦେଢ ବର୍ଷ ତଳେ ପାଟପୁର ଥାନା ଏସ.ଗୋପାଳପୁର ଗ୍ରାମର କୃଷ୍ଣଙ୍କୁ ବିବାହ କରିଥିଲେ। ବିବାହ ବେଳେ ଦାବି ମୁତାବକ ଯୌତୁକ ସାମଗ୍ରୀ ଦିଆଯାଇଥିବାବେଳେ ଅଧିକ ଯୌତୁକ ଦାବିରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ବାପା ପୋଲିସକୁ ଜଣାଇଛନ୍ତି।