ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯ ଡିଗ୍ରୀ ରହିଥିବାବେଳେ ଶୁକ୍ରବାର ୩୯ ଡିଗ୍ରୀ ଛୁଇଁଛି। ସେହିଭଳି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ତେବେ ଶନିବାରଠାରୁ ୬ ଦିନ ଅର୍ଥାତ୍ ୧୬ ତାରିଖ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରେ ସିଝିବ ଓଡ଼ିଶା। ଏହି ସମୟ ଭିତରେ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଶନିବାରଠାରୁ ଗୁରୁବାର ପର୍ଯ୍ୟନ୍ତ ୧୧ଟି ଜିଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ଖରା ସହିତ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୧୩ ଓ ୧୪ ତାରିଖରେ ବରଗଡ଼, ସମ୍ବଲପୁର ଏବଂ ବଲାଙ୍ଗୀର ଜିଲାକୁ ପ୍ରବଳରୁ ଅତି ପ୍ରବଳ ଖରା ହେବା ସହିତ ଗରମ ଗୁଳୁଗୁଳି ପାଇଁ ସତର୍କ କରାଯାଇଛି। ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଗ୍ରୀଷ୍ମ ଲହରୀ ଜାରି ରହିବ। ତେଣୁ ଏହି ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ନ ଥିଲେ ଘରେ ରହିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ୧୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ୩୯ ଡିଗ୍ରୀ ତାପମାତ୍ରା ସହିତ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ଏହା ତଳକୁ ନୂଆପଡ଼ା ଏବଂ ହୀରାକୁଦରେ ୩୮ ଡିଗ୍ରୀ, ସମ୍ବଲପୁର ୩୭.୮, ପାରଳାଖେମୁଣ୍ଡି ୩୭.୬, ଭବାନୀପାଟଣା ୩୭.୫, ଝାରସୁଗୁଡା ୩୭.୪, ତାଳଚେର ୩୬.୫, ବଲାଙ୍ଗୀର ୩୬.୪, ସୋନପୁର ୩୬.୩, ମାଲକାନଗିରି ଓ ବରଗଡ଼ରେ ୩୬.୨ ଡିଗ୍ରୀ ଏବଂ ନବରଙ୍ଗପୁରରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିଲା।
Dharitri – Odisha’s No.1 Odia Daily

