Categories: ଯାଜପୁର

ବଡ଼ଚଣା ପୋଲିସର ସଡ଼କ ସୁରକ୍ଷା ସଚେତନତା

ଚଣ୍ଡିଖୋଲ,୧୧-୯(ଡି.ଏନ.ଏ)- ନୂଆ ମୋଟରଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପରଠାରୁ ମୋଟରସାଇକେଲ ଆରୋହୀମାନେ ବିଶେଷଭାବେ ଭୟଭିତ ହୋଇପଡ଼ିଛନ୍ତି। ବହୁ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ଓ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁ ସାଧାରଣ ଲୋକେ ଗାଡ଼ି ପଦାକୁ ବାହାର କରୁନାହାନ୍ତି। ତେବେ ଇତିମଧ୍ୟମରେ ଏହି ନିୟମକୁ ୩ମାସ ପର୍ଯ୍ୟନ୍ତ କୋହଳ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ମଙ୍ଗଳବାର ବଡ଼ଚଣା ପୋଲିସ ଚଣ୍ଡିଖୋଲଠାରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିଥିଲେ। ବାଇକ ଆରୋହୀଙ୍କୁ ଅଟକାଇ ସେମାନଙ୍କୁ କିପରି କାଗଜପତ୍ର ଠିକ୍‌ କରିବେ ସେଥିନେଇ ପୋଲିସ ବୁଝାଉଥିବା ଦେଖାଯାଇଥିଲା। ବିନା ହେଲମେଟ୍‌ରେ ମୋଟର ସାଇକେଲ ନ ଚଳାଇବା, ସିଟ୍‌ ବେଲ୍‌ଟ ପିନ୍ଧିବା ସହିତ ଆବଶ୍ୟକୀୟ କାଗଜପତ୍ର ଠିକ୍‌ କରିବାକୁ ଗାଡ଼ି ଚାଳକଙ୍କୁ ସଚେତନ କରାଯାଇଥିଲା। ପୋଲିସ ଗାଡ଼ିଚାଳକଙ୍କୁ ପ୍ରଚାର ପତ୍ର, ଚକୋଲେଟ୍‌ ଓ ଗୋଲାପ ଫୁଲ ଦେଇ ସଚେତନ କରାଉଥିବା ମଧ୍ୟ ଦେଖାଯାଇଥିଲା। ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଶୁଶିଲ କୁମାର ନାୟକ, ସଇଦ୍‌ ଖାଁ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ସଞ୍ଜିବ ଥାଟୋଇ ସମେତ ବହୁ ପୋଳିସ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।