ବଜ୍ରପାତରେ ୩ କୃଷି ଶ୍ରମିକ ଗୁରୁତର

ସରଣ୍ଡା,୨୦।୭(ଡି.ଏନ.ଏ)
ବରଗଡ଼ ଜିଲାର ଅତାବିରା, ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମର ୩ ମହିଳା କୃଷିଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ ଏହି ଗ୍ରାମର ଗୁରୁବାରୀ କର୍ଣ୍ଣ(୪୦), ପଦ୍ମା ଭୁଏ(୪୦) ଏବଂ ସୁମିତ୍ରା ମଲ୍ଲିକ(୩୦) । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅତାବିରା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ଗୁରୁବାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପଦ୍ମା ଓ ସୁମିତ୍ରା ଅତାବିରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ପ୍ରକାଶ ଯେ, ଏହି କୃଷି ଶ୍ରମିକମାନେ ଗ୍ରାମର ଜଣେ ଚାଷୀଙ୍କ କ୍ଷେତରେ ଧାନପହ୍ଲା ରୋଉଥିଲେ । ବର୍ଷା ଆସିବାରୁ ସେମାନେ ଘରକୁ ଫେରିବା ବାଟରେ ଏକ ଧାନଖଳାରେ ଆଶ୍ରୟ ନେବାକୁ ଆସୁଥିଲେ । ଧାନଖଳା ନିକଟରେପହଞ୍ଚିବା ପରେ ବଜ୍ରପାତ ହୋଇଥିଲା ଏବଂ ସେଠାରେ ସେମାନେ ଆହତ ହୋଇ ପଡ଼ିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ।