ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଝୁମ୍ପୁରା, ୯।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ରବିବାର ମଧ୍ୟାହ୍ନରେ ବଜ୍ରପାତରେ ବ୍ରହ୍ମାନନ୍ଦ ନାଏକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାରିଆ ଥାନା ଅନ୍ତର୍ଗତ ହରିପଶି ଗ୍ରାମର ବ୍ରହ୍ମାନନ୍ଦ ବିଲକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ ସେଠାରେ ଟଳି ପଡିଥିଲେ। ତାଙ୍କୁ ଝୁମ୍ପୁରା ଡାକ୍ତରଖାନା ନିଆଯାଇଥିଲେ ହେଁ, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ବାଲିପଶି ଗ୍ରାମର ଖଗେଶ୍ୱର ମହାନ୍ତ(୩୫ବର୍ଷ) ଏବଂ ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ବଜ୍ରପାତ ଯୋଗୁଁ ୱାଚମ୍ୟାନଙ୍କର ପୁଅ ଯୋଗେନ୍ଦ୍ର କାରୁଆ (୧୪ବର୍ଷ) ଗୁରୁତର ହୋଇଛନ୍ତି। ଯୋଗେନ୍ଦ୍ରଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।