ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ ପରିବାର ସହ ପାହାଡ଼ର ପ୍ରାକୃତିକ ପରିବେଶକୁ ଉପଭୋଗ କରି ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ନିଖୋଜ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ନଦିଆ ଜିଲା ଅଧୀନ କଲ୍ୟାଣୀ ଗ୍ରାମର ଅରିନ୍ଦମ ମୁଖାର୍ଜୀ ତାଙ୍କ ପରିବାର ଓ ବନ୍ଧୁଙ୍କୁ ନେଇ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ୧୦ତାରିଖରେ ବୁଲି ଆସିଥିଲେ। ତାଙ୍କ ସହ ସ୍ତ୍ରୀ ଝୁମ୍ପା ମୁଖାର୍ଜୀ, ପୁତ୍ର ସରୋଦୀପ ଏବଂ ଅରିନ୍ଦମଙ୍କ ସାଙ୍ଗ ସୌରଭନାଥ ଓ ତାଙ୍କ ସ୍ତ୍ରୀ ରିପୁଲ ଦାସ ସାଥିରେ ଥିଲେ। ପଞ୍ଚଲିଙ୍ଗେଶ୍ୱରରେ ସେମାନେ ପହଞ୍ଚି ଏକ ହୋଟେଲ୍‌ରେ ରହିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ଅରିନ୍ଦମଙ୍କ ତାଙ୍କ ସହ ଅନ୍ୟ ୪ଜଣଙ୍କୁ ନେଇ ଶୈବପୀଠକୁ ବୁଲି ଯାଇଥିଲେ। ଭ୍ରମଣ କରି ଫେରୁଥିବାବେଳେ ଅରିନ୍ଦମ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅରିନ୍ଦମଙ୍କୁ ବହୁତ ଖୋଜିଥିଲେ। ଖୋଜିବାରେ ସଫଳ ନ ହେବାରୁ ସେଠାରୁ ଫେରି ଆସି ହୋଟେଲ ମାଲିକଙ୍କ ସହ ଆଲୋଚନା କରି ମଙ୍ଗଳବାର ଅପରାହ୍ନରେ ଫରେଷ୍ଟ ଏବଂ ଥାନାକୁ ଖବର ଦେବା ସହିତ ସନ୍ଧ୍ୟାରେ ପୁଣି ଖୋଜାଖୋଜି କରି ନିରାଶ ହୋଇ ଫେରିଥିଲେ। ବୁଧବାର ପୂର୍ବାହ୍ନରେ ପରିବାରବର୍ଗ ପ୍ରଶାସନ ସହାୟତାରେ ଖୋଜୁଥିଲେ। ଅରିନ୍ଦମ ରାତିରେ ଜଙ୍ଗଲରେ ରହିଥିବାବେଳେ ସୂର୍ଯ୍ୟୋଦୟ ପରେ ଆଗକୁ ଯାଇ କୁଲଡ଼ିହା ପାଦଦେଶର ବାବନ୍ଧ ଅଞ୍ଚଳର ଡେଉଁଖୋଲରେ ପହଞ୍ଚିଥିଲେ। ସେଠାକାର ଲୋକଙ୍କ ସହ ବାଟ ହୁଡ଼ି ଯାଇଥିବା ଜଣାଇବା ସହ ଗ୍ରାମବାସୀଙ୍କ ମୋବାଇଲ୍‌ରୁ ପରିବାରବର୍ଗଙ୍କୁ ଫୋନ୍‌ କରି ଏବିଷୟରେ ଅବଗତ କରିଥିଲେ। ପରେ ପରିବାରବର୍ଗ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହୋଟେଲ୍‌କୁ ଆଣିଥିଲେ।