ବଇଣ୍ଡାରେ ଚନ୍ଦନ ଯାତ୍ରା : ୪୦ ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ

ବଇଣ୍ଡା,୨୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ୪୨ ତମ ବଇଣ୍ଡା ଚନ୍ଦନ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ନିୟମ ଅନୁସାରେ ଯାତ୍ରା ପାଳନ କରାଯାଉଥିବାବେଳେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ସକାଳେ ରାଧାକୃଷ୍ଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାସହ ବହୁ ଗ୍ରାମବାସୀ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ସାରେ ରାଧାକୃଷ୍ଣ ମନ୍ଦିରରୁ ପ୍ରଭୁଙ୍କୁ ଏକ ପଟୁଆରରେ ଯାତ୍ରା ପଡ଼ିଆକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଚନ୍ଦନନଗରକୁ ନିଆଯାଇଥିଲା। ପରେ ରାତି ୧୦ଟାରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ବଇଣ୍ଡା ନଗର ପରିକ୍ରମା କରାଯାଇ ଚନ୍ଦନ ପୋଖରୀକୁ ଅଣାଯାଇ ଏକ ଡଙ୍ଗାରେ ନୌକାବିହାର କରାଯାଇଥିଲା। ଶୋଭାଯାତ୍ରାରେ ଘୋଡ଼ାନାଚ, ଘଣ୍ଟବାଦ୍ୟ ଓ ବିଭିନ୍ନ ବାଜା ପ୍ରଦର୍ଶିତ ହୋଇଥିଲା। କେତେକ ଅସମାଜିକ ଯୁବକଙ୍କ ପାଇଁ ଶୋଭାଯାତ୍ରା ବିଳମ୍ବ ହେବାରୁ ଅସନ୍ତୋଷ ଦେଖାଦେଇଥିଲା। ସେହିପରି ଯାତ୍ରାରେ ବ୍ୟାପକ ଚୋରା ମଦ କାରବାର ଯୋଗୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏଥିସହିତ ଲୋ-ଭୋଲଟେଜ ସମସ୍ୟା ଯୋଗୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ଟ୍ରାଫିକ ସମସ୍ୟା ଦେଖିଦେଇଥିବାବେଳେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଜାତୀୟ ରାଜପଥରେ ଛଡ଼ାଯାଇ ନ ଥିଲା। ଫଳରେ ବାଇପାସ ଯୋଗେ ଆମ୍ବୁଲାନ୍ସ ଯାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସ୍‌ପି, ଆଠମଲ୍ଲିକ, ଠାକୁରଗଡ଼, ହଣ୍ଡପା, କିଶୋରନଗର ପୋଲିସଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହୋଇଥିଲେ। ଗ୍ରାମ ସଭାପତି ଚିନ୍ତାମଣୀ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ବେହେରା, ରମାକାନ୍ତ ବେହେରା, ପ୍ରତାପ ପ୍ରଧାନ, ସଞ୍ଜୟ ସାହୁ, ମାନସ ସାହୁ, ଅଜୟ ସାହୁ, ଚିହୁରୁ ସାହୁଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।