ଫ୍ରିଜ୍‌ ମରାମତି ଦୋକାନରେ ନିଆଁ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଲେଶ୍ୱର ଅଫିସ, ୨୫।୫: -ବାଲେଶ୍ୱର ସହରସ୍ଥିତ ତେଲେଙ୍ଗାସାହି ରାସ୍ତାର ମ୍ୟୁନିସିପାଲିଟି କମ୍ପ୍ଲେକ୍ସରେ ଥିବା ଏକ ଫେବ୍ରିକ୍‌ ୟୁନିଟ୍‌ରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଲୋକମାନେ ମରାମତି ପାଇଁ ଦେଇଥିବା ଫ୍ରିଜ୍‌, ୱାଶିଂମେଶିନ ପୋଡ଼ି ନଷ୍ଟ ହୋଇଯିବାରୁ ଫେବ୍ରିକ୍‌ ୟୁନିଟ୍‌ ମାଲିକ ଅଜିତ୍‌ କୁମାର ନାୟକ ଭାଙ୍ଗିପଡ଼ିଛନ୍ତି। ସେ ଦୋକାନ ବନ୍ଦ କରି ସମ୍ବଲପୁରସ୍ଥିତ ତାଙ୍କ ଘରକୁ ଯାଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଦେଖି ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍‌ ଇନ୍ସପେକ୍ଟର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଲେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।