Categories: ପୁରୀ

ଫନୀ କ୍ଷୟକ୍ଷତି : ସହାୟତା ଦାବି କଲା ମତ୍ସ୍ୟଜୀବୀ ମହାସଂଘ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସାମୁଦ୍ରିକ ଝଡ଼ ଫନୀ ତାଣ୍ଡବ କରିବା ଇତି ମଧ୍ୟରେ ଏକ ମାସ ବିତିଯାଇଛି। ରିଲିଫ୍‌ ବାବଦରେ ୩ ହଜାର ଟଙ୍କା, ୫୦ କେଜି ଚାଉଳ ଓ ଖଣ୍ଡିଏ ପଲିଥିନ୍‌ ପରେ ଆଉ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ଚିଲିକା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ଡଙ୍ଗା, ଜାଲ ହରାଇ ସାରିବା ପରେ ଅର୍ଥ ଉପାର୍ଜନ କରିବାର ଅନ୍ୟ ସାହା ଓ ଭରସା ନ ପାଇ ଏବେ ଭୋକ ଉପବାସରେ ଦିନ କାଟୁଛନ୍ତିି । ସହାୟତା ତ ଦୂରର କଥା ପ୍ରଶାସନ ଏ ଯାଏ କ୍ଷୟକ୍ଷତି ଆକଳନ କରିବା ପାଇଁ ବିପନ୍ନଙ୍କ ନିକଟରେ ପହଞ୍ଚତ୍ନାହାନ୍ତି । କୃଷ୍ଣପ୍ରସାଦ ବ୍ଲକର କୁମାରପୁର, ବାଲିନାସୀ, ମଲେଶ୍ୱରୀ, ପାଟନାସୀ, ଶ୍ରୀରାମପୁର, ରସକୁଦି ଏବଂ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲାର ୧୨୦ ଗ୍ରାମର ହଜାର ହଜାର ଡଙ୍ଗା ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ବାତ୍ୟାରେ କୋଟି କୋଟି ଟଙ୍କାର ଜାଲ ନଷ୍ଟ ହୋଇଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀ ଚିଲିକାକୁ ଗଲେ ମାଛ ଧରି ଜୀବିକା ନିର୍ବାହ କରୁଥାନ୍ତି । ଏବେ ଜାଲ, ଡଙ୍ଗା ମରାମତି କରିବା କିମ୍ବା କ୍ରୟ ନିମନ୍ତେ ଉପଯୁକ୍ତ ସହାୟତା ନ ପାଇ ଭୋକ ଉପବାସରେ ଦିନ କାଟୁଛନ୍ତି । ତେଣୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପ୍ରତି ୧ ଲକ୍ଷ ଟଙ୍କା, ଆଂଶିକ ଭାଙ୍ଗିଥିବା ଡଙ୍ଗା ପ୍ରତି ୪୦ ହଜାର ଟଙ୍କା, ଜାଲ କୁଇଣ୍ଟାଲ ପ୍ରତି ୩୦ ହଜାର ଟଙ୍କା ଦାବି କରିଛି ମତ୍ସ୍ୟଜୀବୀ ସଂଘ । ଏ ନେଇ ଖୁବ୍‌ ଶୀଘ୍ର ସହାୟତା ପାଇଁ ନିର୍ଦ୍ଦେଶକ ମତ୍ସ୍ୟ ସମ୍ପଦ(କଟକ), ମତ୍ସ୍ୟ ସଚିବ(ଓଡ଼ିଶା), ରାଜସ୍ବ ସଚିବ (ଓଡ଼ିଶା), ରାଜ୍ୟପାଳ (ଓଡ଼ିଶା) ଏବଂ ଗଞ୍ଜାମ, ପୁରୀ, ଖୋର୍ଦ୍ଧାର ଜିଲାପାଳ, ବାଲୁଙ୍ଗା ମତ୍ସ୍ୟ ଅଧିକାରୀ (ଖୋର୍ଦ୍ଧା)ଙ୍କୁ ସଂଘ ଏକ ଲିଖିତ ଅଭିଯୋଗ ଦେଇଥିବା ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ସଭାପତି ହଳଧର ବେହେରା ସୂଚନା ଦେଇଛନ୍ତି ।