ଫଟୋଗ୍ରାଫି ପେସା, ସାପ ଧରିବା ନିଶା

କେନ୍ଦୁଝର, ୨୮ା୬(ଡି.ଏନ୍‌.ଏ.)-ସବୁ ମନୁଷ୍ୟ ମଧ୍ୟରେ କିଛି ନା କିଛି ସ୍ବତନ୍ତ୍ର କଳା ରହିଥାଏ। ଏହାକୁ କିଏ କାମରେ ଲଗାଇପାରେ ତ ଆଉ କିଏ ନିଜକୁ ବୁଝିପାରେନା। ସେଥିମଧ୍ୟରୁ ନିଜକୁ ବୁଝିପାରିଛନ୍ତି କେନ୍ଦୁଝର ଜିଲାର ପୁରୁଣା ସହରର ଭଟ୍ଟସାହିରେ ରହୁଥିବା ସୁଦର୍ଶନ ସ୍ବାଇଁ। ଫଟୋଗ୍ରାଫିରେ ତାଙ୍କର ପେଶା ହୋଇଥିବାବେଳେ ସାପ ଧରିବା ତାଙ୍କ ଜୀବନର ଏକ ନିଶା।
ଭଲ ଫଟୋଗ୍ରାଫର ହିସାବରେ କେନ୍ଦୁଝରରେ ସେ ବେଶ୍‌ ଜଣାଶୁଣା। ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କିମ୍ବା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଫଟୋଗ୍ରାଫର ଭାବେ ତାଙ୍କୁ ଦେଖିବାକୁ ମିଳିଥାଏ। ତେବେ ତାଙ୍କର ଆଉ ଗୋଟିଏ ନିଶା ହେଲା ସାପ ଧରିବା। କେନ୍ଦୁଝରରେ କାହା ଘରେ, ବାଡିରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବିଷାକ୍ତ ସାପ ହେଉ କିମ୍ବା ଯେକୌଣସି ଜାତିର ସାପ ଦେଖା ଦେଲେ ଖୋଜା ପଡେ ସୁଦର୍ଶନଙ୍କୁ। ସେ ସାପକୁ କାବୁ କରି ଜଙ୍ଗଲରେ ଛାଡି ଦିଅନ୍ତି। ସାପ ଧରିବାର କୌଶଳ କାହାଠାରୁ ସେ ପ୍ରଶିକ୍ଷଣ ନେଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ହେଲେ ସାପକୁ କାବୁ କରିବାର ତାଙ୍କର କୌଶଳ ଜଣେ ଟ୍ରେନିଂ ପ୍ରାପ୍ତ ସାପ ଧରାଳିରୁ କମ୍‌ ନୁହେଁ। ତାଙ୍କ ନିକଟରେ ବିଷାକ୍ତ ସାପକୁ ଧରିବାର ଯେଉଁ ଷ୍ଟିକ୍‌ ଦରକାର ତାହା ମଧ୍ୟ ରହିଛି। ସେ ବର୍ତ୍ତମାନ ସୁଦ୍ଧା ପାଞ୍ଚଶହ ପାଖାପାଖି ବିଭିନ୍ନ ପ୍ରଜାତିର ସାପ ଧରି ସାରିଲେଣି ବୋଲି କହିଛନ୍ତି। ସାପ ବହୁତ ଶାନ୍ତ ତାଙ୍କୁ ବିରକ୍ତ ନକଲେ ସେ କାହାର କ୍ଷତି କରନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।