ପ୍ରସଙ୍ଗ ଏକ, ବିରୋଧୀ ଦୁଇଫାଳ: ସିବିଆଇ ତଦନ୍ତ ଦାବି ନେଇ ଭାଜପା ସଦସ୍ୟଙ୍କ ହଟ୍ଟଗୋଳ, ଦୁଇଥର ଗୃହ ମୁଲତବୀ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଇସ୍ୟୁ ଗୋଟିଏ। ମାତ୍ର ବିରୋଧୀ ଦୁଇଫାଳ। ଗତ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ମୁଖ୍ୟ ବିରୋଧୀ ଭାଜପା ଓ କଂଗ୍ରେସ ପୃଥକ୍‌ ଢଙ୍ଗରେ ସରକାରଙ୍କୁ ବିରୋଧ କରୁଛନ୍ତି। କଂଗ୍ରେସ ଆଲୋଚନା କରିବାକୁ ଚାହିଁବା ବେଳେ ଭାଜପା ହଟ୍ଟଗୋଳରେ ମାତିଯାଉଛି। ଦୁଇ ବିରୋଧୀଙ୍କ ମଧ୍ୟରେ ତାଳମେଳ ନାହିଁ। ବିଷୟବସ୍ତୁ ସମାନ ହୋଇଥିଲେ ମଧ୍ୟ ଏକତା ଅଭାବରୁ ବିରୋଧୀ ସରକାରଙ୍କଠାରୁ କୈଫିୟତ ତଲବ କରିବାରେ ବିଫଳ ହେଉଛନ୍ତି। କଙ୍କଡ଼ାକୁ ଗୋଳି ପାଣି ସୁହାଇବା ଭଳି ସରକାରଙ୍କୁ ମଧ୍ୟ ଏହା ବେଶ୍‌ ସୁହାଇଛି। ଚଳିତ ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଧିବେଶନର ପ୍ରଥମ ଦିବସରେ ଉଭୟ କଂଗ୍ରେସ ଓ ଭାଜପା ପୃଥକ୍‌ ମୁଲତବୀ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ଭାଜପା ନାରୀ ସୁରକ୍ଷାକୁ ନେଇ ମୁଲତବୀ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଉଭୟ ଦଳ ବିଧାନସଭାରେ ହଟ୍ଟଗୋଳ କରି ଗୃହକୁ ଅଚଳ କରି ଦେଇଥିଲେ। ସର୍ବଦଳୀୟ ବୈଠକରେ ଭାଜପା ନିଜର ମୁଲତବୀ ପ୍ରସ୍ତାବରୁ ଓହରିଯାଇ ନାରୀ ସୁରକ୍ଷା ନେଇ ଏକ ମୋଶନ ଆଣିବାକୁ ଦାବି କରିଛି। ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଂଗ୍ରେସର ମୁଲତବୀକୁ ଗ୍ରହଣ କରି ଆଲୋଚନା ପାଇଁ ରାଜି ହୋଇଥିବା ବେଳେ ମୋଶନ ବିଷୟରେ ନିଷ୍ପତ୍ତି ଶୁଣାଇ ନ ଥିଲେ। କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବରେ ଭାଜପା ସହମତ ହୋଇ ନ ଥିଲା। ଗୁରୁବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ଭାଜପା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ନାରୀ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ। ବାଚସ୍ପତି ନ ଶୁଣିବାରୁ ଉଭୟ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ଗୃହରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୃହକୁ ଦୁଇଥର ମୁଲତବୀ ଘୋଷଣା କରାଯାଇଥିଲା।
ବାଚସ୍ପତି ପୂର୍ବାହ୍ନ ୧୦ଟା ୩ ମିନିଟ୍‌ରେ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ ୧୨ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟମାନେ ସିବିଆଇ ତଦନ୍ତ ଦାବିକରି ଗୃହର ମଧ୍ୟଭାଗକୁ ଆସି ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ। ଏପରି କି ଭାଜପା ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ହଟ୍ଟଗୋଳ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ, ଅମର ଶତପଥୀ, ଶଶିଭୂଷଣ ବେହେରା ପ୍ରମୁଖ ଭାଜପାର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ଆଲୋଚନାକୁ ନ ଆସି ଭାଜପା ସଦସ୍ୟମାନେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏଭଳି କରୁଛନ୍ତି। ବାସ୍ତବ ଇସ୍ୟୁକୁ ନେଇ ଆଲୋଚନା ନ କରିବା ପଛରେ କି ରହସ୍ୟ ବୋଲି ବିଜେଡି ସଦସ୍ୟମାନେ ପ୍ରଶ୍ନ କରିଥିଲେ। ବାଚସ୍ପତି ଭାଜପା ସଦସ୍ୟମାନଙ୍କୁ ସିଟ୍‌ରେ ବସିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ ହଟ୍ଟଗୋଳରୁ ହଟି ନ ଥିଲେ। ଭାଜପା ସଦସ୍ୟ କୁସୁମ ଟେଟେ ଏବଂ ଅନ୍ୟ ସଦସ୍ୟମାନେ ସୁରକ୍ଷାକର୍ମୀଙ୍କୁ ଠେଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଯିବାକୁ ଚେଷ୍ଟା କରିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୨ଟା ୯ ମିନିଟରୁ ୧୨ଟା ୩୯ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨ଟା ୩୯ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟମାନେ ପୁଣି ସିବିଆଇ ତଦନ୍ତ ଦାବିକରି ଗୃହରେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ମୁଲତବୀ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବାଚସ୍ପତି ପୁଣି ଅନୁରୋଧ କରିଥିଲେ। ମାତ୍ର ଭାଜପା ସଦସ୍ୟ ସିବିଆଇ ତଦନ୍ତ ଆମର ଦାବି… ଆମର ଦାବି… ସ୍ଲୋଗାନ ଦେଇ ହୋ ହଲ୍ଲା କରିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀର ଆଲୋଚନା ଆରମ୍ଭ କରିଥିଲେ। ମୁଲତବୀ ଆଲୋଚନା ଶେଷ ହେବା ଯାଏ ଭାଜପା ସଦସ୍ୟ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri