ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମଙ୍ଗଳବାର ସକାଳେ ଗଜପତି ମହାରାଜା ଦୋଳମଣ୍ଡପ ସାହି ଉପ୍ରା ବିଦ୍ୟାଳୟ ୧୦୨ ନଂ. ବୁଥ୍‌କୁ ମହାରାଣୀଙ୍କ ସହ ଆସି ଭୋଟ ଦେଇଛନ୍ତି । ମତଦାନ ପରେ ଗଣମାଧ୍ୟମକୁ ଗଜପତି ମହାରାଜା କହିଥିଲେ, ମତାଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ମୁଖ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ। ଏହାଦ୍ୱାରା ଆମ ରାଷ୍ଟ୍ର ତଥା ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ। ଭୋଟ ହେଉଛି ସବୁଠୁ ମୂଲ୍ୟବାନ, ଏହାକୁ କାହା ସହିତ ତୁଳନା କରାଯାଇପାରିବ ନାହିଁ। ଏହା ଏକ ସ୍ବତନ୍ତ୍ର ବିଧାନ, ସ୍ବତନ୍ତ୍ର ଅଧିକାର ଏବଂ ସ୍ବତନ୍ତ୍ର କର୍ତ୍ତବ୍ୟ। ମତଦାନ ସମୟରେ ପ୍ରଥମେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କୁ ଦେଖିବା ଦରକାର, ପରେ ଦଳ। ବ୍ୟକ୍ତି ଠିକ୍‌ ରହିଲେ କାମ ଠିକ୍‌ ହେବ। ତେଣୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ଚରିତ୍ର, ବ୍ୟକ୍ତିତ୍ୱ ଦେଖି ମତଦାନ କରିବା ଦରକାର। ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଯେଉଁମାନେ ବିଧାନସଭା ଏବଂ ଲୋକ ସଭାକୁ ଯିବେ ସେମାନେ ପୁରୀକୁ ଅଗ୍ରାଧିକାର ଦେବେ ବୋଲି ଗଜପତି ଆଶା ରଖିଛନ୍ତି। ସେହିପରି ନୂଆକରି ଭିଭିପିଏଟିର ବ୍ୟବହାର ସମ୍ପର୍କରେ ପ୍ରଶ୍ନ ହେବାରୁ ଭୋଟ ଦେବା ପାଇଁ ସରଳ ବ୍ୟବସ୍ଥା ହୋଇଛି। କୌଣସି ନାଗରିକଙ୍କୁ ଭୋଟ ଦେବା ଲାଗି କିଛି ବି ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ପୁରୀ କେବଳ ଆମ ରାଜ୍ୟର ଏକ ସହର ନୁହେଁ, ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ମୂଳପୀଠ। ସମଗ୍ର ସନାତନ ବୈଦିକ ହିନ୍ଦୁଙ୍କର ମୂଳ ପୀଠ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହାକୁ ଆମେ ସମସ୍ତେ ଠିକ୍‌ ଭାବେ ବୁଝିପାରିଲେ ପୁରୀର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ ବୋଲି ଗଜପତି ମହାରାଜା ପ୍ରକାଶ କରିଥିଲେ।