Bird flu scare grips Puri villages after death of many birds
ପୁରୀ ଅଫିସ,୧୫।୨ : ପୁରୀ ସହରରେ କାଉ ମଡ଼କ ଦେଖା ଦେଇଛି। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରି ସହରବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ସୋମବାର ସକାଳେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (ଡିଇଓ) ସମ୍ମୁଖ ରାସ୍ତାରେ ଦୁଇଟି କାଉ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡିବା ପରେ କେତେକ ଲୋକ ସେଠାରେ ପହଞ୍ଚିଥିଲେ। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କହିଥିଲେ।
ଭୁବନେଶ୍ୱରସ୍ଥିତ ଓୟୁଏଟିରେ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପୁରୀରେ କାଉଙ୍କ ମୃତ୍ୟୁ ହେବା ଘଟଣା ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଢୀଭୂତ କରିଛି। ତେବେ ଏ ନେଇ ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ କୌଣସି ସୂଚନା ନ ଥିବା ଜଣାପଡିଛି। ତେବେ ଯାହା ବି ହେଉ ଦୁଇଟି କାଉଙ୍କ ମୃତ୍ୟୁ ହୋଇଥିବାରୁ ପ୍ରାଣୀ ଚିକିତ୍ସାଳୟ ଏ ଦିଗରେ ସଚେତନ ହେବା ଦରକାର ବୋଲି ଲୋକେ କହିଛନ୍ତି। ଗତବର୍ଷ ଜାନୁୟାରୀ ୭ରେ ହୋଟେଲ ମେ ଫେୟାର ପଛ ପାର୍ଶ୍ୱ ବେଳାଭୂମିରେ ଥିବା ପାର୍କ ପରିସରରେ କେତେକ କାଉ ମରି ପଡ଼ିଥିବା ଖବର ପ୍ରସାରିତ ହୋଇଥିଲା। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ପହଞ୍ଚତ୍ ୭ଟି ମଲା କାଉ ପଡିଥିବା ଦେଖିଥିଲେ। କାଉଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହାକୁ ପରୀକ୍ଷା ପାଇଁ ଭୋପାଳସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ (ଏନ୍ଆଇଏଚ୍ଏସ୍ଏଡି)କୁ ପଠାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ କାଉଙ୍କ ମୃତ୍ୟୁ କ’ଣ ପାଇଁ ହୋଇଛି ତାହାର ଅନୁଧ୍ୟାନ କରାଯିବା ଆବଶ୍ୟକ ହୋଇପଡିଛି।