ପାହାଡ଼ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଲଖନପୁର,୧୩।୭(ଡି.ଏନ୍‌.ଏ.) – ଝାରସୁଗୁଡ଼ା ରେଙ୍ଗାଲି ଥାନା କଦମ୍ବଘାଟ ପାହାଡ଼ରୁ ଶନିବାର ପୋଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ର ହେଲେ ବାଉଁସେନ୍‌ପାଲିର ଜ୍ଞାନ କଅଁରଙ୍କ ପୁଅ ସୁକାନ୍ତ (୧୫)। ଜ୍ଞାନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୩/୧୯) ରୁଜୁକରି ତଦନ୍ତ ଚଳାଇଛି। ସୁକାନ୍ତଙ୍କ କାନମୁଣ୍ଡାରୁ ସାମନ୍ୟ ରକ୍ତ ବାହାରୁଥିଲା। ତେବେ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିଲା। ମୃତଦେହ ଏକ ପଥର ଚଟାଣ ଉପରେ ପଡ଼ିରହିଥିଲା। ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଜ୍ଞାନ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ସୁକାନ୍ତ ବାଉଁସେନପାଲି ଗ୍ରାମର କୈଳାସ ସା ଓ ରଣଜିତ କଅଁରଙ୍କ ସହ ଶନିବାର ସକାଳ ୧୦ଟାରେ ଗ୍ରାମ ନିକଟ କଦମ୍ବଘାଟ ପାହାଡ଼କୁ ମୟୂରପୁଛ ଖୋଜିବା ପାଇଁ ଯାଇଥିଲେ। ପାହାଡ଼ ଚଢ଼ିବା ପରେ ୩ଜଣଯାକ ଗୋଟିଏ ସ୍ଥାନରେ ବସି କିଛି ଖାଦ୍ୟ ଖାଇଥିଲେ। ପରେ କୈଳାସ ଓ ରଣଜିତ ଗୋଟିଏ ରାସ୍ତାରେ ବାହାରିଥିଲେ। ସୁକାନ୍ତ ଅନ୍ୟ ରାସ୍ତା ଧରିଥିଲେ। ମୟୂରପୁଛ ଖୋଜିସାରିବା ପରେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହେବେ ବୋଲି ସେମାନେ କଥା ହୋଇଥିଲେ। ମୟୂରପୁଛ ଖୋଜିସାରିବା ପରେ କୈଳାସ ଓ ରଣଜିତ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ସୁକାନ୍ତ ଆସି ନ ଥିଲେ। କୈଳାସ ଓ ରଣଜିତ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅପରାହ୍ନ ୨ଟାରେ ଘରକୁ ଫେରିଆସି ସୁକାନ୍ତଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦେଇଥିଲେ। ସୁକାନ୍ତଙ୍କ ବାପା ଜ୍ଞାନ କୈଳାସ ଓ ରଣଜିତଙ୍କୁ ସାଙ୍ଗରେ ଧରି ପୁଅକୁ ଖୋଜିବା ପାଇଁ ପାହାଡ଼କୁ ବାହାରିଥିଲେ। ଏହି ସମୟରେ ସୁକାନ୍ତଙ୍କ ମୃତଦେହ ଏକ ପଥର ଚଟାଣ ଉପରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସୂଚନାଯୋଗ୍ୟ, ସୁକାନ୍ତ ଭିକମପାଲି ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ।