ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ ଛିଡ଼ା ହୋଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଗୁରୁବାର ଏହି ଦିବସ ପାଳନ ପାଇଁ ଗତ ୬ ତାରିଖରୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲକୁ ଚିଠି କରାଯାଇଥିଲା। ତଦନୁଯାୟୀ ସ୍କୁଲ ଛାତ୍ରୀଛାତ୍ରମାନେ ସକାଳ ୮ଟାରେ ସ୍ଥାନୀୟ ବଳରାମ ମନ୍ଦିରକୁ ଆସି ୨ ଘଣ୍ଟା ଖରାରେ ଛିଡ଼ା ହୋଇଥିଲେ। ହେଲେ ଜିଲା ସଂସ୍କୃତି ବିଭାଗର କୌଣସି କର୍ମଚାରୀଙ୍କ ଘଟଣାସ୍ଥଳରେ ଦେଖା ନ ମିଳିବାରୁ  ଛାତ୍ରୀଛାତ୍ରମାନେ ନିରାଶ ହୋଇ ଫେରିଥିଲେ।     ଏ ନେଇ ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ କହିଛନ୍ତି, ୬ତାରିଖରେ ଦିବସ ପାଳନ ପାଇଁ ସ୍କୁଲମାନକୁ ଚିଠି ପଠାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ବାଚନ ପକ୍ରିୟା ଚାଲିଥିବା ଯୋଗୁ ଏହି ଦିବସ ପାଳନ ନ କରିବା ପାଇଁ  ଫୋନ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ସେହି ଅନୁସାରେ ଆମ କର୍ମଚାରୀଙ୍କୁ ସ୍କୁଲଗୁଡିକୁ ଯାଇ ମନା କରିବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ କୌଣସି ସ୍କୁଲକୁ ଯାଇ ନ ଥିଲେ କି ସୂଚନା ଦେଇ ନ ଥିଲେ।  ଫଳରେ ସ୍କୁଲ ଛାତ୍ରୀଛାତ୍ରମାନେ ଆସି ଅପେକ୍ଷା କରିଥିବା ଜଣାପଡ଼ିଥିଲା।