Posted inଜାତୀୟ

ପରଲୋକରେ ଆଧୁନିକ ଦିଲ୍ଲୀର ବିନ୍ଧାଣି

ନୂଆଦିଲ୍ଲୀ,୨୧ା୭(ପି.ଟି.): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଶନିବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ହୃତ୍‌ଘାତ ହେବାରୁ ଶୀଲାଙ୍କୁ ସକାଳେ ଫର୍ଟିସ ଏସ୍‌କଟର୍‌ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ର ଅଧ୍ୟକ୍ଷ ଡ. ଅଶୋକ ସେଠ୍‌ଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଡାକ୍ତରମାନଙ୍କ ଏକ ଟିମ୍‌ ତାଙ୍କର ଚିକିତ୍ସା କରିଥିଲେ। ସାମୟିକ ଭାବେ ଶୀଲାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ତେବେ ଅପରାହ୍ନ ୩ଟା ୫୫ରେ ଦ୍ୱିତୀୟ ହୃଦ୍‌ଘାତ ହେବାରୁ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମରଶରୀରକୁ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ବାସଭବନକୁ ନିଆଯାଇଛି। ଶୀଲାଙ୍କ ପରଲୋକରେ ଦିଲ୍ଲୀ ସରକାର ଦୁଇଦିନିଆ ଶୋକ ଘୋଷଣା କରିଛନ୍ତି। ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟୁଇଟ୍‌ କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ଜମ୍ମୁ-କଶ୍ମୀରର ବୈଷ୍ଣୋଦେବୀ ମନ୍ଦିର ଯିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
ଶୀଲା ଦୀକ୍ଷିତଙ୍କୁ ଆଧୁନିକ ଦିଲ୍ଲୀର ନିର୍ମାତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ଦିଲ୍ଲୀକୁ ଆଧୁନିକ ରୂପରେଖ ମିଳିଥିଲା। ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଥିବା ଶୀଲା ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କ୍ରମାଗତ ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ରେ ସେ ୫ ମାସ ପାଇଁ କେରଳର ରାଜ୍ୟପାଳ ମଧ୍ୟ ହୋଇଥିଲେ। ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ଶୀଲା ଉତ୍ତର-ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ଲଢ଼ି ହାରିଯାଇଥିଲେ।
୧୯୮୪ରେ ସେ ପ୍ରଥମଥର ପାଇଁ ଉତ୍ତରପ୍ରଦେଶର କନୌଜ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ଥିବା ଶୀଲା ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏହି ବର୍ଷୀୟାନ ନେତ୍ରୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଘଟଣା ତାଙ୍କୁ ପ୍ରଥମ କରିଛି। ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଦିଲ୍ଲୀରେ କ୍ରମାଗତ ୩ ଥର କ୍ଷମତାରେ ରହିଥିଲେ। କୌଣସି ରାଜ୍ୟରେ ୧୫ ବର୍ଷ କ୍ଷମତାରେ ରହିବାରେ ସେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ।୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି କରାଯାଇଥିଲା। ତାଙ୍କ ନେତୃତ୍ୱରେ କଂଗ୍ରେସ ମୁଖ୍ୟ ବିରୋଧୀ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ତୃତୀୟ ସ୍ଥାନକୁ ପଠାଇବାରେ ସକ୍ଷମ ହୋଇଥିଲା।
୧୯୩୮ ମାର୍ଚ୍ଚ ୩୧ରେ ପଞ୍ଜାବର କପୁରଥାଲାରେ ଶୀଲାଙ୍କ ଜନ୍ମ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୪ରେ ଶୀଲା ଉତ୍ତରପ୍ରଦେଶର କନୌଜ ଆସନରୁ ଲୋକ ସଭାକୁ ପ୍ରଥମେ ନିର୍ବାଚିତ ହୋଇ ଜାତିସଂଘରେ ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୮୬ରେ ସେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ୧୯୯୮ରେ ସେ ଲୋକ ସଭା ନିର୍ବାଚନ ହାରିଥିଲେ ଏବଂ ସେହିବର୍ଷ ପ୍ରଥମ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ କେରଳ ରାଜ୍ୟପାଳ ହୋଇଥିଲେ ମଧ୍ୟ ୫ ମାସ ପରେ ଇସ୍ତଫା ଦେଇଥିଲେ। ୨୦୦୯ରେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହେବା ପରେ ସେ ବିବାଦ ଘେରକୁ ଆସିଥିଲେ। ଜବାହରଲାଲ୍‌ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ପାଇଁ କେନ୍ଦ୍ର ସରକାର ଦେଇଥିବା ୩.୫ କୋଟି ଟଙ୍କାର ଅପବ୍ୟୟ ନେଇ ଅଭିଯୋଗ ହୋଇଥିଲା। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ଦୁର୍ନୀତିରେ ମଧ୍ୟ ସେ ଅଭିଯୁକ୍ତ ଥିଲେ। ଏହା ସତ୍ତ୍ୱେ ମେଟ୍ରୋ ପ୍ରକଳ୍ପ ସମେତ ଦିଲ୍ଲୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ତାଙ୍କ ସମୟରେ ହୋଇଥିଲା। ଭାଗୀଦାରି ବ୍ୟବସ୍ଥା ମାଧ୍ୟମରେ ସେ ପୌର ପ୍ରଶାସନରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଥିଲେ। ଫଳରେ ଜନସେବାର ମାନ ବଢ଼ିବା ସହ ଠିକ୍‌ ସମୟରେ ଲୋକଙ୍କ ପାଖରେ ପହଞ୍ଚତ୍ପାରିଥିଲା।

ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ


ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଖବର ଶୁଣି ଦୁଃଖିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ୧୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ରାଜଧାନୀର ଉଲ୍ଲେଖନୀୟ ବିକାଶ ହୋଇଥିଲା, ଯେଉଁଥିପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି। ସେହିପରି ଶୀଲାଙ୍କ ପରଲୋକରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ଜଣେ ଉତ୍ତମ ପ୍ରଶାସିକା ଥିଲେ ବୋଲି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି।
ବରିଷ୍ଠ କଂଗ୍ରେସ ନେତ୍ରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ଦିଲ୍ଲୀର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ତାଙ୍କର ପରିବାର ସଦସ୍ୟ ଓ ସମର୍ଥକମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଦଳର ନେତା ରାହୁଲ ଗାନ୍ଧୀ ଶୀଲାଙ୍କୁ କଂଗ୍ରେସର ଆଦରଣୀୟା କନ୍ୟା କହିବା ସହ ତାଙ୍କର ପରଲୋକରେ ମର୍ମାହତ ବୋଲି ଟୁଇଟ୍‌ କରିଛନ୍ତି। ତାଙ୍କ ସହ ରାହୁଲଙ୍କର ଅତ୍ୟନ୍ତ ଘନିଷ୍ଠତା ଥିଲା। ସେ ନିଃସ୍ବାର୍ଥପର ଭାବେ ଦିଲ୍ଲୀ ପାଇଁ କାର୍ଯ୍ୟ କରୁଥିଲେ ବୋଲି ରାହୁଲ ତାଙ୍କ ଶୋକବାର୍ତ୍ତାରେ କହିବା ସହ ତାଙ୍କ ପରିବାର ସଦସ୍ୟ ଓ ଦିଲ୍ଲୀବାସୀଙ୍କୁ ସମବେଦନା ଜଣାଇଛନ୍ତି। ଦିଲ୍ଲୀର ବିକାଶ ପାଇଁ ଶୀଲାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଦେଶ ଜଣେ ଉତ୍ସର୍ଗୀକୃତ କଂଗ୍ରେସ ନେତ୍ରୀଙ୍କୁ ହରାଇଲା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?