Categories: ଖେଳ

ପଏଣ୍ଟ ଭାଗ କଲେ ଶ୍ରୀଲଙ୍କା- ବାଂଲାଦେଶ: ବର୍ଷାଯୋଗୁ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ,୧୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦ୍ୱିତୀୟଥର ପାଇଁ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ୧୬ତମ ମ୍ୟାଚ୍‌ ବର୍ଷା ଯୋଗୁ ବିନା ଟସ୍‌ ପଡିବାରେ ବାତିଲ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ଏପଯର୍‌ୟନ୍ତ ଶ୍ରୀଲଙ୍କ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଥିବା ବେଳେ ଗୋଟିଏ ପରାଜୟ ବରଣ କରିଛି। ପୁଣି ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ଫଳରେ ଦୁଇଥର ପଏଣ୍ଟ ଭାଗ କରିଛି। ଶ୍ରୀଲଙ୍କା ମୋଟ ୪ ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନ ଅଧିକାର କରିଛି। ଅପରପକ୍ଷରେ ବାଂଲାଦେଶ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଦୁଇଟି ପରାଜୟ ବରଣ କରିଛି। ଥରେ ପଏଣ୍ଟ ଭାଗ କରି ବାଂଲାଦେଶ ମୋଟ ୩ ପଏଣ୍ଟ ପାଇବା ସହ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି।
ଲଗାତର ପ୍ରବଳ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇପାରି ନ ଥିଲା। ଅବଶ୍ୟ କେତେଥର ବର୍ଷା ବନ୍ଦ ହୋଇଥିଲେ ମଧ୍ୟ ପ୍ରତିଥର ବର୍ଷା ପ୍ରତ୍ୟାବର୍ତ୍ତନ କରିଥିଲା। ଫଳରେ ପିଚ୍‌ ନିରୀକ୍ଷଣକୁ ଘୁଞ୍ଚାଇ ଦିଆଯାଇଥିଲା। କଭର ଉପରୁ ଗ୍ରାଉଣ୍ଡ୍ସମ୍ୟାନ ପାଣି ବାହାର କରିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଶେଷରେ ସ୍ଥାନୀୟ ସମୟ ଗୋଟାଏ ୫୭ ମିନିଟ୍‌ରେ ମ୍ୟାଚ୍‌ ବାତିଲ କରିବାକୁ ଅମ୍ପାୟରମାନେ ନିଷ୍ପତ୍ତି ନେଇଥିଲେ। କ୍ରମାଗତ ଦ୍ୱିତୀୟଥର ପାଇଁ ମ୍ୟାଚ୍‌ ବାତିଲ ହୋଇଥିବାରୁ ଶ୍ରୀଲଙ୍କାର ସେମିଫାଇନାଲ ଆଶା ପ୍ରଭାବିତ ହୋଇଛି। ଫଳରେ ଶ୍ରୀଲଙ୍କା ନିରାଶ ହୋଇଛି।
ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇବା ପରେ ନ୍ୟୁଜିଲାଣ୍ଡଠାରୁ ଦୁଇ ଉଇକେଟରେ ଓ ଆୟୋଜକ ଇଂଲଣ୍ଡଠାରୁ ୧୦୬ ରନରେ ପରାସ୍ତ ହୋଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଥିଲା। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା କାରଣରୁ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଥିଲା। ସେହିପରି ସୋମବାର ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏବେ ଶ୍ରୀଲଙ୍କା ଜୁନ୍‌ ୧୫ ତାରିଖରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଲଣ୍ଡନରେ ଭେଟିବ। ସେହିପରି ବାଂଲାଦେଶ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଟଣ୍ଟନରେ ଓ୍ବେଷ୍ଟଇଣ୍ଡିଜକୁ ୧୭ ତାରିଖରେ ଭେଟିବ।

Share