ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୮୪.୫୮ ପ୍ରତିଶତ

ନୟାଗଡ଼ ଅଫିସ,୨ା୬-ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ (ଯୁକ୍ତ ୩ ଶେଷବର୍ଷ) ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ୩୦ରେ ଅଧ୍ୟକ୍ଷା ଡ. ବିଜୟଲକ୍ଷ୍ମୀ ପରିଡ଼ା ପରୀକ୍ଷାଫଳ ଘୋଷଣା କରିଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୭୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କୁ ମଧ୍ୟରୁ ୬୦୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ରହିଛି ୮୪.୫୮ ପ୍ରତିଶତ। ପୂର୍ବବର୍ଷ ପାସ୍‌ ହାର ୯୨ ପ୍ରତିଶତ ଥିଲା ବେଳେ ଚଳିତବର୍ଷ ଏହା ଖସିଆସି ୮୪.୫୮ ପ୍ରତିଶତରେ ପହଞ୍ଚତ୍ଛି। ପଦାର୍ଥ ବିଜ୍ଞାନର ଛାତ୍ରୀ ଜ୍ଞାନପ୍ରଭା ଦାସ ୨୬୦୦ରୁ ୨୩୬୨ ନମ୍ବର ରଖି ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଜ୍ଞାନପ୍ରଭା ବିଜ୍ଞାନ ବିଭାଗରେ ମଧ୍ୟ ଶ୍ରେଷ୍ଠ ହୋଇଛନ୍ତି। କଳା ବିଭାଗରେ ମନୋବିଜ୍ଞାନ ଛାତ୍ରୀ ସୁକାନ୍ତି ପରିଡ଼ା ୨୦୮୨ ନମ୍ବର ଓ ବାଣିଜ୍ୟ ବିଭାଗରେ ଛାତ୍ର ହେମନ୍ତ କୁମାର ନାୟକ ୧୯୮୫ ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି। କଳା ବିଭାଗରେ ପାସ୍‌ ହାର ୮୭.୩୯ ପ୍ରତିଶତ, ବିଜ୍ଞାନରେ ୮୫.୫ ଓ ବାଣିଜ୍ୟରେ ୭୬.୭୪ ପ୍ରତିଶତ ରହିଛି। କଳା ବିଭାଗରେ ୨୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୧୫ ଜଣ ପାସ୍‌ କରିଛନ୍ତି। ସେହିପରି ବିଜ୍ଞାନରେ ୩୪୫ ଜଣଙ୍କ ମଧ୍ୟରୁ ୨୯୫ ଓ ବାଣିଜ୍ୟରେ ୧୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯୯ ଜଣ ପାସ୍‌ କରିଛନ୍ତି। ସମସ୍ତ ସମ୍ମାନ ବିଭାଗରେ ଜଣେ ଲେଖାଏ ଶ୍ରେଷ୍ଠ ହୋଇଥିବା ବେଳେ ସମାଜ ବିଜ୍ଞାନ ବିଭାଗରେ ୧୦୬୨ ନମ୍ବର ରଖି ଯୁଗ୍ମଭାବେ ଦୁଇ ଜଣ ଶ୍ରେଷ୍ଠ ହୋଇଛନ୍ତି। ପରୀକ୍ଷା ଫଳ ପ୍ରକାଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ପରୀକ୍ଷା ନିୟନ୍ତ୍ରକ ଜାନକୀ ନାଥ ଦାସ, ପରୀକ୍ଷା ଉପନିୟନ୍ତ୍ରକ ବଂଶୀଧର ଗୌଡ଼, ବଜବ୍ରନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।