ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ, ଏ ବିଷୟରେ ଅନୁଧ୍ୟାନ କରିବାକୁ ରାଜସ୍ବମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ୧୩ଟି ଜିଲା ଥିଲା, ସେଥିପାଇଁ ୩ଟି ରାଜସ୍ବ ଡିଭିଜନ କମିଶନର(ଆର୍‌ଡିସି) ଖୋଲାଯାଇଥିଲା। ୧୩ରୁ ୩୦ ଜିଲା ହେଲା ମାତ୍ର କୌଣସି ନୂଆ ଆର୍‌ଡିସି କାର୍ଯ୍ୟାଳୟ ଖୋଲିଲା ନାହିଁ। ଲୋକମାନେ ପ୍ରଶାସନିକ ସେବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଜମିଜମା ସଂକ୍ରାନ୍ତୀୟ ସମସ୍ୟା ଭୟଙ୍କର ହେଲାଣି। ତୁରନ୍ତ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲି ଗରିବ ଆଦିବାସୀଙ୍କୁ ସେବା ଯୋଗାଇ ଦିଆଯାଉ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆଉ ୩ଟି ଆର୍‌ଡିସି କାର୍ଯ୍ୟାଳୟ ଖୋଲାଯାଉ। ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ବିରୋଧୀ ଓ ଶାସକ ସଭ୍ୟମାନେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଘେରିଥିଲେ। ରାଜ୍ୟରେ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଏଭଳି ଉତ୍ତର ଶୁଣି ସଭ୍ୟମାନେ ହୋ ହଲ୍ଲା କରିଥିଲେ। ଲୋକମାନଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚାଇବାରେ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ବୋଲି ବିରୋଧୀ ଦଳ ସଭ୍ୟମାନେ ଅଭିଯୋଗ କରିଥିଲେ। ବିରୋଧୀଙ୍କ ଆପତ୍ତି ପରେ ବାଚସ୍ପତି ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୂଳ ପ୍ରଶ୍ନକର୍ତ୍ତା ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲାର ଜୟପୁରଠାରେ ଏକ ସ୍ବତନ୍ତ୍ର ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ କହିଥିଲେ ଯେ, କଳାହାଣ୍ଡିରୁ ବ୍ରହ୍ମପୁର ୩୦୦ରୁ ୪୦୦ କିଲୋମିଟର । ନୂଆପଡ଼ା ଓ କୋରାପୁଟରୁ ମଧ୍ୟ ଏହା ଦୂରରେ ରହିଛି। ଆଦିବାସୀ ଗରିବ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ଜୟପୁରଠାରେ ଆର୍‌ଡିସି କାର୍ଯ୍ୟାଳୟ ଖୋଲାଯାଉ। ବିଜେଡି ସଭ୍ୟ ପ୍ରଦୀପ ଅମାତ, ମନୋହର ରନ୍ଧାରୀ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ଏବଂ ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର ଜିଲାରେ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ଜୟପୁରଠାରେ ଆରଡିସି କାର୍ଯ୍ୟାଳୟ ଖୋଲିବାର ଏବେ କୌଣସି ପ୍ରସ୍ତାବ ନାହିଁ। ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଜିଲା ସମେତ ୨୭ଟି ରାଜସ୍ବ ବୋର୍ଡକୁ ଜମିଜମା ମାମଲା ଫଇସଲା ପାଇଁ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ସମୟରେ ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବା ପାଇଁ ସରକାର ପରୀକ୍ଷା ନିରୀକ୍ଷା କରିବେ ବୋଲି ମନ୍ତ୍ରୀ କହିଥିଲେ।