Posted inଜାତୀୟ

ନିର୍ମଳା କଲେ ନିରାଶ

ନୂଆଦିଲ୍ଲୀ,୨ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତିି। ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦି ସରକାରଙ୍କ ଏହା ହେଉଛି ଦ୍ୱିତୀୟ ବଜେଟ। ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ବଜେଟ ୩ଟି ବିନ୍ଦୁ ଯଥା-ଆକାଂକ୍ଷୀ ଭାରତ, ଅର୍ଥନୈତିକ ବିକାଶ ଏବଂ ପ୍ରଯତ୍ନଶୀଳ ସମାଜ ଉପରେ କେନ୍ଦ୍ରିତ ହୋଇଛି। ଭାରତ ଆର୍ଥତ୍କ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏଥିରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ବଜେଟରେ କିଛି ସ୍ବତନ୍ତ୍ର ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ନିଯୁକ୍ତି ସୃଷ୍ଟି, ବଜାର ବ୍ୟବସ୍ଥାରେ ସୁଧାର, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର, ଚାହିଦା, ନିବେଶକଙ୍କୁ ଆକୃଷ୍ଟ କରିବାରେ ବଜେଟରେ ଗୁରୁତ୍ୱ ଦିଆଯିବ ବୋଲି ଯେଉଁ ଅନୁମାନ କରାଯାଇଥିଲା ତାହା ଦେଖିବାକୁ ମିଳିନାହିଁ। ଫଳରେ ଦେଶର ବିଭିନ୍ନ ବର୍ଗର ଲୋକ ନିର୍ମଳାଙ୍କ ବଜେଟରୁ ନିରାଶ ହୋଇଛନ୍ତି। ଚଳିତ ବଜେଟରେ ଯେଉଁସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ବ୍ୟୟବରାଦ କରାଯାଇଛି, ତାହା ଟ୍ରାକ୍‌ ବାହାରକୁ ଚାଲିଯାଇଥିବା ଅର୍ଥନୀତିକୁ ବାଟକୁ ଆଣିବା ଲାଗି ସକ୍ଷମ ହେବାର କୌଣସି ଦିଗ ଦିଶୁନାହିଁ। ବଜେଟରେ ଯେଉଁ ସବୁ ହିସାବ କରାଯାଇଛି, ତାହା ଅନ୍ୟ ଆଡ଼କୁ ରହିଥିବା ବିଶେଷଜ୍ଞମାନେ ମତ ଦେଲେଣି। ଦେଶ ଆର୍ଥତ୍କ ଦୁଃସ୍ଥିତି ଦେଇ ଗତି କରୁଥିବା ବେଳେ ମହିଳାଙ୍କ ବିବାହ ବୟସ ସ୍ଥିର କରିବା ଲାଗି ଟାସ୍କଫୋର୍ସ ଗଠନ ସକାଶେ ସୁପାରିସ କରାଯାଇଛି। ଏଥିସହିତ ବଜେଟର ଦିଗ ଅନ୍ୟଆଡ଼େ ଥିବାର ଆଭାସ ଉପସ୍ଥାପନ ପରେ ଦେଶର ପୁଞ୍ଜିବଜାର ଉପରେ ଦେଖିବାକୁ ମିଳିଛି। ଏହା ପାଖାପାଖି ୧୦୦୦ ପଏଣ୍ଟ ହ୍ରାସ ପାଇଛି।
ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୁନେଲୀ ହଳଦିଆ ରଙ୍ଗର ଶାଢି ପିନ୍ଧି ୪୫ ପୃଷ୍ଠାର ବହିଖାତା ଲେଉଟେଇବା ଆରମ୍ଭ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଦିବଂଗତ ଅରୁଣ ଜେଟ୍‌ଲୀଙ୍କୁ ସେ ମନେ ପକାଇଥିଲେ। କହିଥିଲେ ଯେ, ଜିଏସ୍‌ଟି ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ପ୍ରାରମ୍ଭରେ ସୀତାରାମନ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀ ମୋଦି ସରକାରଙ୍କୁ ପୂର୍ଣ୍ଣ ବହୁମତ ଦେଇଥିବା ବିଷୟ ଉଲ୍ଲେଖ କରିଥିଲେ। ତାଙ୍କ ନେତୃତ୍ୱରେ ଦେଶବାସୀଙ୍କୁ ସେବା କରିବାର ସୁଯୋଗ ମିଳିଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନମଙ୍ଗଳକାରୀ ଯୋଜନାଗୁଡିକର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଟଙ୍କାଟିଏ ମଧ୍ୟରୁ କେବଳ ୧୫ ପଇସା ହିତାଧିକାରୀ ପାଇପାରିଥାନ୍ତି। କିନ୍ତୁ ବର୍ତ୍ତମାନର ସରକାର ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ଚିନ୍ତାଧାରା ନେଇ ଗତି କରୁଥିବାରୁ ଲୋକେ ଯୋଜନାଗୁଡିକର ସୁଫଳ ସିଧାସଳଖ ପାଇ ପାରୁଛନ୍ତି। ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ଆକାଂକ୍ଷୀ ଭାରତରେ କୃଷି, ଜଳସେଚନ, ଗ୍ରାମୀଣ ଭାରତ, ଜଳ ଓ ପରିମଳ, ଶିକ୍ଷା ଓ ଦକ୍ଷତାକୁ ଗୁରୁତ୍ୱ ଦିଆଯାଇଥିବା କହିଥିଲେ। ସେହିପରି ଶିଳ୍ପ, ବାଣିଜ୍ୟ ଓ ପୁଞ୍ଜିନିବେଶ, ଭିତ୍ତିଭୂମି, ନୂଆ ଅର୍ଥନୀତିକୁ ଅର୍ଥନୈତିକ ବିକାଶ ପର୍ଯ୍ୟାୟରେ ରଖାଯାଇଥିବା ବେଳେ ପ୍ରଯତ୍ନଶୀଳ ସମାଜ ମଧ୍ୟରେ ମହିଳା ଓ ଶିଶୁ ବିକାଶ, ସାମାଜିକ ମଙ୍ଗଳ, ସଂସ୍କୃତି ଓ ପର୍ଯ୍ୟଟନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଆଦି ବିଷୟକୁ ଗୁରୁତ୍ୱ ଦେଇଛନ୍ତି। ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ଦୁଇଟି ପସନ୍ଦ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ପଡ଼ିବ ବୋଲି କୁହାଯାଇଛି। ବର୍ତ୍ତମାନ ପ୍ରଚଳିତ ଆୟକର ପ୍ରଣାଳୀ କିମ୍ବା ନୂତନ ଆୟକର ପଦ୍ଧତି କେଉଁଟିକୁ ଗ୍ରହଣ କରିବେ ତାହା ସାଧାରଣ କରଦାତାଙ୍କ ଉପରେ ଛାଡି ଦିଆଯାଇଛି। କାରଣ ନୂତନ ପ୍ରଣାଳୀ ଆପଣାଇବାକୁ ଚାହୁଁଥିବା ଟିକସଦାତା ଆୟକର ରିହାତି ନେଇପାରିବେ ନାହିଁ ବୋଲି ବଜେଟରେ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନର ନୂଆ ଆୟକର ଟିକସ ହାର ମୁତାବକ ୨.୫ ଲକ୍ଷରୁ ୫ ଲକ୍ଷ ଆୟ ଉପରେ ୫%, ୫ରୁ ୭.୫ ଲକ୍ଷ ଯାଏ ୧୦% ଟିକସ, ୭.୫ ରୁ ୧୦ ଲକ୍ଷ ୧୫%, ୧୦ରୁ ୧୨.୫ ଲକ୍ଷ ଯାଏ ୨୫% ଏବଂ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଆୟରେ ୩୦% ଟିକସ ଦେବାକୁ ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ସୀତାରାମନ ବଜେଟରେ ସ୍ବାସ୍ଥ୍ୟ ସେବାର ବିକାଶ ଲାଗି ମୋଟ ୬୯ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି, ଯାହାକି ଗତ ଥର ଅପେକ୍ଷା ୮% ଅଧିକ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗି ବଜେଟରେ ୬,୪୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଶିକ୍ଷା କ୍ଷେତ୍ର ଲାଗି ୯୯,୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଖୁବ୍‌ ଶୀଘ୍ର ନୂଆ ଶିକ୍ଷା ନୀତି ଆସିବ ବୋଲି ସୀତରାମନ କହିଛନ୍ତି।
ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥତ୍କ ବର୍ଷରେ କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଲାଗି ୧୬ ସୂତ୍ରୀ ଯୋଜନା ଘୋଷଣା କରିଛନ୍ତି। ଚାଷୀଙ୍କ ଲାଗି ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିବା ଲାଗି ବ୍ୟବସ୍ଥା ହୋଇଛି। ନାବାର୍ଡ ରିଫାଇନାନ୍‌ସିଂ ସ୍କିମକୁ ବିସ୍ତାର କରାଯିବ। ଭାରତୀୟ ରେଲଓ୍ବେ ପକ୍ଷରୁ ସାମଗ୍ରୀ ପରିବହନ ପାଇଁ ପିପିପି ମୋଡ୍‌ରେ ‘କିଷାନ ରେଳ’ ପ୍ରତିଷ୍ଠା କରାଯିବ। ଅନୁରୂପ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ‘ଭିଲେଜ ଷ୍ଟୋରେଜ ସ୍କିମ’ ଚାଷୀଙ୍କୁ ବିଶେଷ ଭାବେ ସାହାଯ୍ୟ କରିବ। ଏପରି ହେଲେ ଗ୍ରାମାଞ୍ଚଳ ମହିଳାମାନେ ସେମାନଙ୍କ ‘ଧାନ୍ୟ ଲକ୍ଷ୍ମୀ’ ମର୍ଯ୍ୟାଦା ଫେରି ଫାଇବେ ବୋଲି ସୀତାରାମନ କହିଛନ୍ତି। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଲାଗି ୧.୨୩ ଲକ୍ଷ କୋଟି ଟଙ୍କା ରଖାଯାଇଛି। ୨୦୨୪-୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାର ମତ୍ସ୍ୟ ରପ୍ତାନି ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟସମ୍ପଦ ସମ୍ପ୍ରସାରଣ କ୍ଷେତ୍ରରେ ୩,୪୭୭ ସାଗର ମିତ୍ର ଓ ୫୦୦ ମତ୍ସ୍ୟ ଚାଷୀ ଉତ୍ପାଦକ ସଂଘକୁ ଏଥିରେ ସାମିଲ କରାଯିବା ନେଇ ପ୍ରସ୍ତାବ ରହିଛି।


ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ୨୭,୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରପ୍ତାନି ପ୍ରୋତ୍ସାହନ ଲାଗି ‘ନିର୍ଭୀକ’ ସ୍କିମ ଶୁଭାରମ୍ଭ କରାଯିବ। ଜାତୀୟ ଲଜିଷ୍ଟିକ ନୀତି ଖୁବଶୀଘ୍ର ଆସିବ। ପରିବହନ ଭିତ୍ତିଭୂମି ଉନ୍ନୟନ ଲାଗି ୧.୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରେଳ ଧାରଣା କଡରେ ସୋଲାର କ୍ଷମତା ସ୍ଥାପନ, ପିପିପି ମୋଡ୍‌ରେ ୪ ଷ୍ଟେଶନ ପୁନଃ ବିକାଶ ଏବଂ ୧୫୦ ଘରୋଇ ଟ୍ରେନ ଚଳାଚଳ କରାଯିବ। ପର୍ଯ୍ୟଟନ ସ୍ଥଳଗୁଡିକୁ ଯୋଡିବା ଲାଗି ତେଜସ ଭଳି ଅଧିକ ଟ୍ରେନ ଚାଲିବ। ଦେଶର ଗୋଟିଏ ପ୍ରମୁଖ ବନ୍ଦରକୁ ନିଗମୀକରଣ କରାଯାଇ ପୁଞ୍ଜିବଜାରରେ ତାଲିକାଭୁକ୍ତ କରାଯିବ। ଉଡାନ୍‌ ଯୋଜନାକୁ ତ୍ୱରାନ୍ବିତ କରିବା ଲାଗି ୨୦୨୪ ସୁଦ୍ଧା ୧୦୦ଟି ଅଧିକ ବିମାନବନ୍ଦରକୁ ବିକଶିତ କରାଯିବ।


୨୦୨୦-୨୧ରେ ଶକ୍ତି ଓ ନବୀକରଣ ଶକ୍ତି କ୍ଷେତ୍ରରେ ୨୨ ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ଜାତୀୟ ଗ୍ୟାସ ଗ୍ରୀଡ୍‌କୁ ବର୍ତ୍ତମାନ ୧୬,୨୦୦ କିମିରୁ ବୃଦ୍ଧି କରାଯାଇ ୨୭ ହଜାର କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ରହିଛି। ଭିତ୍ତିଭୂମିର ବିକାଶ ଲାଗି ଆଗାମୀ ପାଞ୍ଚ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ। ଆଇଡିବିଆଇ ଏବଂ ଏଲ୍‌ଆଇସିରେ ଅଂଶଧନ ବିକ୍ରି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଆର୍ଥତ୍କ ପରିଚାଳନା ପାଇଁ ଆଇପିଓ ମାଧ୍ୟମରେ ଏଲ୍‌ଆଇସିର କିଛି ଅଂଶ ବିକ୍ରି କରିବା ଲାଗି ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ବ୍ୟାଙ୍କ ଜମାକାରୀଙ୍କ ବୀମା ପରିମାଣ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ କ୍ୱାଣ୍ଟମ ଟେକ୍ନୋଲୋଜି କ୍ଷେତ୍ରରେ ଆଗାମୀ ୫ ବର୍ଷରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବଜେଟ ଅଭିଭାଷଣରେ ସୀତାରାମନ କହିଛନ୍ତି।
ନୂତନ ଅର୍ଥ ବ୍ୟବସ୍ଥା: ଘରୋଇ କ୍ଷେତ୍ର ଦ୍ୱାରା ଦେଶରେ ଡାଟା ସେଣ୍ଟର ପାର୍କ ନିର୍ମାଣ କରିବା ଲାଗି ଖୁବ ଶୀଘ୍ର ନୀତି ପ୍ରଣୟନ କରାଯିବ। ଭାରତନେଟ୍‌ ମାଧ୍ୟମରେ ଚଳିତ ବର୍ଷ ୧ ଲକ୍ଷ ଗ୍ରାମ ପଞ୍ଚାୟତକୁ ‘ଫାଇବର ଟୁ ଦ ହୋମ’ ମାଧ୍ୟମରେ ଯୋଡାଯିବ। ୨୦୨୦-୨୧ରେ ଭାରତ ନେଟଓ୍ବର୍କ କାର୍ଯ୍ୟକ୍ରମ ଲାଗି ୬ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି।
ସାମାଜିକ କଲ୍ୟାଣ: ୨୦୨୦-୨୧ ଆର୍ଥତ୍କ ବର୍ଷ ରାଷ୍ଟ୍ରୀୟ ପୋଷଣ ମିଶନ ନିମନ୍ତେ ୩୫,୬୦୦ କୋଟି ଟଙ୍କାର ବ୍ୟୟବରାଦ ବ୍ୟବସ୍ଥା କରାଯାଇଛି।
ଟିକସ ସରଳ କରିବାର ଉପାୟ
ଆଧାର ଜରିଆରେ ତୁରନ୍ତ ପାନ୍‌ ଅନ୍‌ଲାଇନ ଆବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରତ୍ୟକ୍ଷ ଟିକସ ସହ ଜଡିତ ମାମଲାକୁ କମ୍‌ କରିବା ଲାଗି ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇ ‘ବିବାଦରୁ ବିଶ୍ୱାସ’ ଯୋଜନା କରାଯାଇଛି।
ପରୋକ୍ଷ ଟିକସ :ଜିଏସ୍‌ଟି
୧ ଏପ୍ରିଲ ୨୦୨୦ ପରଠାରୁ ପରୀକ୍ଷାମୂଳକ ଭାବେ ସରଳୀକୃତ ଟିକସ ଫାଇଲିଂ ବ୍ୟବସ୍ଥା ଆସିବ। ପରିବର୍ତ୍ତିତ ଟିକସ ଢାଞ୍ଚାର ମୁକାବିଲା ଲାଗି ଜିଏସ୍‌ଟି ଦର ଢାଞ୍ଚାକୁ ଯୁକ୍ତିସଙ୍ଗତ କରାଯିବ। ସୀମା ଶୁଳ୍କ: ସୀମା ଶୁଳ୍କକୁ ଜୋତା ଉପରେ ୨୫% ବୃଦ୍ଧି କରାଯାଇ ୩୫% ଏବଂ ଫର୍ନିଚର ସାମଗ୍ରୀ ଉପରେ ୨୦%ରୁ ବୃଦ୍ଧି କରାଯାଇ ୨୫% କରାଯିବାର ବ୍ୟବସ୍ଥା ରହିଛି। ନ୍ୟୁଜ୍‌ ପ୍ରିଣ୍ଟ ଏବଂ ହାଲୁକା ପୋର୍ଟେଡ୍‌ କାଗଜ ଆମଦାନୀ ଉପରେ ମୂଳ ଆମଦାନୀ ଶୁଳ୍କକୁ କମ୍‌ କରି ୫% କରାଯାଇଛି।
ଅର୍ଥମନ୍ତ୍ରୀ ସୀତାରାମନ ବଜେଟ ଉପସ୍ଥାପନ କରିବା ବେଳେ କାଳିଦାସଙ୍କ ରଘବଂଶମ, କବି ତରୁବଲ୍ଲୁବର, ପିସିରନ୍ଥେୟାରଙ୍କ କବିତା ଓ ଭଗବାନ ବାସବେଶ୍ୱଙ୍କ ଶିକ୍ଷାନୀତିର ଉଦାହରଣ ଦେବା ସହ ସ୍ବାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ତେବେ ବଜେଟ ୪୫ ପୃଷ୍ଠାରୁ ୪୩ ପୃଷ୍ଠା ପଢିବା ପରେ ଅର୍ଥମନ୍ତ୍ରୀ କ୍ଳାନ୍ତ ହୋଇ ପଡିଥିଲେ। ଦୀର୍ଘ ୨ ଘଣ୍ଟା ୪୩ ମିନିଟ ବଜେଟ ଉପସ୍ଥାପନ ପରେ ସେ ଅଶ୍ୱସ୍ତିବୋଧ କରିବାରୁ ବାଚସ୍ପତି ଓମ୍‌ ବିର୍ଲାଙ୍କଠାରୁ ଅନୁମତି ନେଇ ବଜେଟ ଉପସ୍ଥାପନକୁ ସମାପନ କରିଥିଲେ।

 

‘ଅର୍ଥନୀତିକୁ ଗତିଶୀଳ କରିବ ବଜେଟ’


ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚପ୍ରଶଂସା କରିଛନ୍ତି। ଦଶନ୍ଧିର ପ୍ରଥମ ବଜେଟ ପ୍ରସ୍ତୁତି ପାଇଁ ସେ ଅର୍ଥମନ୍ତ୍ରୀ ଓ ତାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଦୂରଦୃଷ୍ଟି ସମ୍ପନ୍ନ ଓ କ୍ର୍ରିୟାଶୀଳ ବଜେଟ। ଏହା ଅର୍ଥନୀତିକୁ ଗତିଶୀଳ କରିବା ସହ ଜନସାଧାରଣଙ୍କ ଆର୍ଥତ୍କ ବିକାଶରେ ସହାୟକ ହେବ। ଏଥିରେ ଘୋଷଣା କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଦେଶରେ ନିଯୁକ୍ତି ବଢ଼ାଇବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିବ। କୃଷିି, ଶିକ୍ଷା, ଭିତ୍ତିଭୂମି ବିକାଶ ଆଦିକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଦଶନ୍ଧିର ଅର୍ଥନୀତି ପାଇଁ ଏହା ଦୃଢ଼ ମୂଳଦୁଆ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରର ଉନ୍ନତି ଲାଗି ସୀତାରାମନ ଉଭୟ ପାରମ୍ପରିକ ଓ ନୂଆ ପଦ୍ଧତି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା କୃଷି କ୍ଷେତ୍ରରେ ନିଯୁକ୍ତି ବଢ଼ାଇବା ସହ ମତ୍ସ୍ୟ ପ୍ରକ୍ରିୟାକରଣ ଓ ବିପଣନ କ୍ଷେତ୍ରରେ ଯୁବତୀଯୁବକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ପ୍ରଯୁକ୍ତି କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଭାରତକୁ ବିଶ୍ୱର ମୂଲ୍ୟ ଶୃଙ୍ଖଳର ଅଂଶବିଶେଷ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ସ୍ୱାସ୍ଥ୍ୟ ସେବା ଉପରେ ଯୁଦ୍ଧର ଚେଙ୍କ: ବଢ଼ିପାରେ ପାରାସିଟାମଲ ଏବଂ ଆଣ୍ଟିବାୟୋଟିକ୍ସ ଦାମ୍‌!

ନୂଆଦିଲ୍‌ଲୀ,୨୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଖାଡ଼ି ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ଭାରତର ପ୍ରାୟ ୫୦ ଅରବ ଡଲାର (୫୦ ବିଲିୟନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri