ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ଭାଜପା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ବିଜେଡି ଓ ଭାଜପା ମଧ୍ୟ ଭିତିରି ବୁଝାମଣା ରହିଥିବା ନେଇ କଂଗ୍ରେସ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିବାବେଳେ ଏକଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଖଣ୍ଡନ କରିଛନ୍ତି। କିନ୍ତୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଭିତିରି କଥାର ଗୁମର ଖୋଲିଛନ୍ତି। କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବା ସେ କହିଛନ୍ତି।
ପ୍ରଦୀପ୍ତ କହିଛନ୍ତି ଯେ, ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି। ଯେଉଁ ଦଳ ବଦଳ ଆଇନ ବିଜେଡି ଶାସନାଧୀନ ସରକାର ଆଣିଥିଲେ ତାକୁ ନିଜେ ଉଲ୍ଲଂଘନ କରିଛି। ଭାଜପାର କେତେଜଣ ଜିଲା ପରିଷଦ ସଦସ୍ୟଙ୍କୁ ହୀନ ଚକ୍ରାନ୍ତ କରି ପ୍ରଥମେ ବିଜେଡିରେ ମିଶାଯାଇଥିଲା। ପରେ ଆଉ କେତେଜଣ ସଦସ୍ୟଙ୍କୁ ନେଇ ଗୋଷ୍ଠୀ କରି ନିଜେ ତିଆରି କରିଥିବା ଆଇନକୁ ଖୁଲମଖୁଲା ଚ୍ୟାଲେଞ୍ଜ କରାଯାଇଛି। ଏହା ବିରୋଧରେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦଳ ବିରୋଧୀ ଆଇନ ଅନୁଯାୟୀ ବରଗଡ଼ର ୯ଜଣ ଜିଲା ପରିଷଦ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଦାବି କରାଯାଇଛି।